‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଶାଶୂ ଶ୍ୱଶୁର ଉଦ୍ଧାର ହୁଅନ୍ତୁ’; ଶାଶୂଘର ଛାଡ଼ିବା ନେଇ କୋର୍ଟଙ୍କୁ କହିଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କୋର୍ଟଙ୍କ ନିର୍ଦ୍ଦେଶ ପରେ ଶାଶୂଘର ଛାଡ଼ିବେ ବର୍ଷା ପ୍ରିୟଦର୍ଶିନୀ । ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଏକ ମେମୋ ଦାଖଲ କରି ଏକଥା ଜଣାଇଛନ୍ତି ବର୍ଷା । ମଙ୍ଗଳବାର କୋର୍ଟରେ ଶୁଣାଣି ବେଳେ ସେ ଜଣାଇଛନ୍ତି ଯେ, ସେ ଶ୍ୱଶୁରଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଆଖି ଆଗରେ ରଖି ସେ ନିଜ ଇଛାରେ ଏକାକୀ ଘରୁ ବାହାରି ଯାଇ ଅନ୍ୟତ୍ର ରହିବାକୁ ନିଷ୍ପତ୍ତି ନେଇଛନ୍ତି ।ତେବେ ବର୍ଷା ନିଜ ମେମୋରେ କୋର୍ଟଙ୍କୁ ଆଉ ଏକ ବେଶ୍ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ସେ କହିଛନ୍ତି ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଶାଶୂ ଶ୍ୱଶୁର ଉଦ୍ଧାର ହୁଅନ୍ତୁ’ । ଏହାସହ ସେ ଘର ଛାଡ଼ିବାକୁ କୋର୍ଟଙ୍କ ପାଖରୁ ଏକ ମାସର ସମୟ ମାଗିଛନ୍ତି ।

ତେବେ ଶାଶୂଘର ଛାଡ଼ିବାକୁ ବର୍ଷାଙ୍କୁ ପୂର୍ବରୁ କଟକ ସଦର ଏସଡିଜେଏମ ନିର୍ଦ୍ଦେଶ ଦେଇଥିଲେ । ଜୁନ୍ ୨ରେ କୋର୍ଟ ଦେଇଥିବା ଏହି ନିର୍ଦ୍ଦେଶରେ ଆହୁରି କହିଥିଲେ ଯେ, ପ୍ରତିମାସ ୧୦ ତାରିଖ ସୁଦ୍ଧା ସ୍ୱାମୀ ଅନୁଭବ ମହାନ୍ତି ବର୍ଷାଙ୍କୁ ୩୦ ହଜାର ଟଙ୍କା ରକ୍ଷଣା ବେକ୍ଷଣ ପାଇଁ ଦେବେ । ଆଉ ଏହାର ଏକମାସ ମଧ୍ୟରେ ବର୍ଷା ଶାଶୂଘର ଛାଡ଼ିବେ । ପୁରୀଘାଟ ଥାନା ଅଞ୍ଚଳରେ ଥିବା ଶାଶୂଘରେ ବର୍ଷା ରହୁଥିବା ବେଳେ ତାଙ୍କ ପାଇଁ ବିକଳ୍ପ ରହିବା ବ୍ୟବସ୍ଥା ପାଇଁ ଅନୁଭବ ଅନୁମତି ଲୋଡ଼ି ଆବେଦନ କରିଥିଲେ ।ଏହାର ଶୁଣାଣିର କରି କୋର୍ଟ ବର୍ଷାଙ୍କୁ ଏହି ନିର୍ଦ୍ଦେଶ ଦେଇଥିଲେ । ଏହାପରେ ବର୍ଷା କଟକ ସଦର ଏସଡିଜେଏମଙ୍କ ନିର୍ଦ୍ଦେଶ ବିରୋଧରେ ଜିଲ୍ଲା ଦୌରାଜଜ୍ କୋର୍ଟରେ ଆବେଦନ କରିଥିଲେ । ତେବେ ଏସଡିଜେଏମ ଅଦାଲତ ଦେଇଥିବା ରାୟକୁ କାଏମ ରଖିଥିଲେ ଜିଲ୍ଲା ଦୌରାଜଜ୍ । ଏହାପରେ ବର୍ଷା ଅନୁଭବଙ୍କ ଘର ଛାଡ଼ି ଭଡ଼ାଘରେ ରହିବେ ବୋଲି ସୂଚନା ମିଳିଛି ।

Related Posts