(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦେଶରେ ମହାମାରୀ କରୋନା କାୟା ବିସ୍ତାର କରିଚାଲିଛି। ଅପରପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ କରୋନା ବିରୋଧୀ ଲଢେଇରେ ଭଗବାନ ହନୁମାନଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ସେ କହିଛନ୍ତି ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ଦେଶକୁ କରୋନା କବଳରୁ ବଞ୍ଚେଇ ପାରିବ। ହନୁମାନ ଜୟନ୍ତୀ ଅବସରରେ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇ ମୋଦୀ ଟୁଇଟ୍ କରି କହିଛନ୍ତି, “ହନୁମାନ ଜୟନ୍ତୀଙ୍କ ପବିତ୍ର ଉତ୍ସବ ହେଉଛି ପ୍ରଭୁ ହନୁମାନଙ୍କ ଦୟା ଏବଂ ଉତ୍ସର୍ଗକୁ ସ୍ମରଣ କରିବାର ଦିନ | ମୋର କାମନା ହେଉଛି COVID ମହାମାରୀ ବିରୋଧରେ ଜାରି ସଂଗ୍ରାମରେ ତାଙ୍କ ଆଶୀର୍ବାଦ ସବୁବେଳେ ଆମ ଉପରେ ଥାଉ । ଏହା ସହ ତାଙ୍କ ଜୀବନ ଏବଂ ଆଦର୍ଶରୁ ଆମକୁ ସର୍ବଦା ପ୍ରେରଣା ମିଳୁ ।”
ସୂଚନାଯୋଗ୍ୟ,ଗତ ୨୪ ଘଣ୍ଟାରେ ୩,୬୦,୯୬୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୭୯,୯୭,୨୬୭ରେ ପହଞ୍ଚିଛି। ଗୋଟିଏ ଦିନରେ ୨,୬୧,୧୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧,୪୮,୧୭,୩୭୧ ଛୁଇଁଛି। ଏବେ ଭାରତର ଆକ୍ଟିଭ କେସ୍ ସଂଖ୍ୟା ୨୯,୭୮,୭୦୯ ରହିଛି। ପ୍ରଥମଥର ପାଇଁ ଗୋଟିଏ ଦିନରେ ୩୨୯୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଏଯାଏ ୧୪,୭୮,୨୭, ୩୬୭ ଜଣଙ୍କୁ ଟିକା ଦିଆଯାଇ ସାରିଛି । ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୮୯୫ ଜଣ ପ୍ରାଣ ହରାଇଥିବା ବେଳେ ଦିଲ୍ଲୀରେ ୩୮୦ ଜଣଙ୍କ ଜୀବନ ଯାଇଛି ।