ଆମ୍ବୁଲାନ୍ସ ନମିଳିବାରୁ ମା’ର ମୃତ ଶରୀର ବାଇକରେ ନେବାକୁ ବାଧ୍ୟ ହେଲା ପୁଅ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :ମହାମାରୀର ଭୟ ଲୋକଙ୍କ ମନକୁ ବିଚଳିତ କରିଥିବା ବେଳେ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଦୃଶ୍ୟ । କରୋନା ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ହୁହୁ ବଢ଼ୁଥିବାରୁ କେଉଁଠି ଶବକୁ କାନ୍ଧ ମିଳୁନାହିଁ ତ କେଉଁଠି ଆମ୍ବୁଲାନ୍ସ ମିଳୁନାହିଁ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶରେ। କରୋନା ସଂକ୍ରମଣ ରେ ମୃତ ଜଣେ ମହିଳାଙ୍କୁ ଆମ୍ବୁଲାନ୍ସ ମିଳିନାହିଁ। ଫଳରେ ପରିବାର ଲୋକ ଶବକୁ ବାଇକ୍‌ରେ ବସାଇ ଶ୍ମଶାନ ଘାଟ ନେଇଛନ୍ତି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରୁ ଏପରି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ସ୍ୱାବ ରିପୋର୍ଟ ଆସିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ଘଟିଛି। ମହିଳାଙ୍କ ଶରୀରରେ କରୋନା ଲକ୍ଷଣ ଥିଲା। ସେ ଟେଷ୍ଟ ପାଇଁ ନିଜର ସ୍ୱାବ ମଧ୍ୟ ଦେଇଥିଲେ। ଶ୍ରୀକାକୁଲମର ମଣ୍ଡସା ମଣ୍ଡଳ ଗାଁରେ ଏହି ୫୦ ବର୍ଷୀୟ ମହିଳା ଜଣଙ୍କ ରହୁଥିଲେ। ତାଙ୍କର ଦେହ ଖରାପ ହେବାରୁ ସୋମବାର ଦିନ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅଧିକ ବିଗିଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିଲା।ସେ ପ୍ରାଣ ହରାଇବା ପରେ ପରିବାର ଲୋକ ଆମ୍ବୁଲାନ୍ସ ଯୋଗାଡ କରିଥିଲା କିନ୍ତୁ ମିଳି ନଥିଲା। ଏନେଇ କର୍ତ୍ତୃପକ୍ଷଙ୍କୁ ବି ଜଣାଇଥିଲେ ବି କିଛି ଫାଇଦା ହୋଇନଥିଲା। ଦୀର୍ଘ ଘଣ୍ଟା ଧରି ଶବକୁ ନେବା ପାଇଁ ଆମ୍ବୁଲାନ୍ସକୁ ଅପେକ୍ଷା କଲେ କିନ୍ତୁ ଶେଷରେ ବାଧ୍ୟ ହୋଇ ମହିଳାଙ୍କ ଜ୍ୱାଇଁ ଓ ପୁଅ ଶବକୁ ବାଇକ୍‌ର ମଝିରେ ରଖି ଗାଁ ଶ୍ମଶାନକୁ ସତ୍କାର ପାଇଁ ନେଇଥିଲେ। ସେଠାରେ ମହିଳାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।

Related Posts