ପୁରୀ ବଡ ମେଡିକାଲରେ ଚିକିତ୍ସା ଅବହେଳା, ପ୍ରସବ ପୂର୍ବରୁ ଚାଲିଗଲା ଶିଶୁର ଜୀବନ

(ସତ୍ୟପାଠ ବ୍ୟୁରେ) ଭୁବନେଶ୍ୱର: ପୁରୀ ବଡ ମେଡିକାଲରୁ ପୁଣି ଆସିଛି ଚିକିତ୍ସା ଅବହେଳା ଅଭିଯୋଗ । ଟିକିଏ କିଛି ଜଟିଳ ହେଲେ , କଟକ ରେଫର କରିଦେଉଛନ୍ତି ପୁରୀ ଡାକ୍ତର । ଯାହାର ଦୁଃଖଦ ପରିଣାମ ଭୋଗୁଛନ୍ତି ରୋଗୀ । କେତେବେଳେ ରୋଗୀର ଜୀବନ ଚାଲିଯାଉଛି ତ ପୁଣି କେତେବେଳେ କରୁଣ ପରିଣତି ଭୋଗୁଛନ୍ତି ରୋଗୀ ଓ ପରିବାର ଲୋକେ । 

ଗତକାଲି ରୀନା ସୁନ୍ଦରାୟ ନାମକ ଜଣେ ମହିଳା ପ୍ରସବ ବେଦନା ଅସହ୍ଯ ହେବାରୁ କଣାସ ସ୍ଵାସ୍ଥ୍ୟକେନ୍ଦ୍ର ରୁ ପୁରୀ ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲା । ଯନ୍ତ୍ରଣାରେ ଛଟପଟ ରୀନାଙ୍କୁ ପରିବାର ଲୋକେ ପୁରୀ ଆଣି ରାତି ୧୧ଟାରେ ଆଡମିସନ କରିଥିଲେ । ପ୍ରସବ ଜନିତ ରକ୍ତ ସ୍ରାବ ଅତ୍ୟଧିକ ହେତୁ ଭୋର ୪ଟାରେ ରୀନାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ପାଇଁ ପରିବାର ଲୋକଙ୍କୁ କହିଥିଲେ ଏବଂ ଡିସଚାର୍ଜ ମଧ୍ଯ କରିଦେଇଥିଲେ ।  ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ” ଯନ୍ତ୍ରଣାରେ କଲବଲ ହେଉଥିବା ରୀନାଙ୍କୁ ବେଡରୁ ତଳେ ଶୁଆଇଦେଇଥିଲେ ହସ୍ପିଟାଲ କର୍ମଚାରୀ । କେବଳ ଏତିକି କହିଥିଲେ, ଶାରଳା ଡାଇଗ୍ନୋଷ୍ଟିକରେ ଅଲଟ୍ରାସାଉଣ୍ଡ କରାଇ ନେବ ।” ଏହାର ଦୁଃଖଦ ପରିଣତି ଭୋଗିଲେ ରୀନା । 

ରବିବାର ସକାଳୁ ଯେବେ ପରିବାର ଲୋକ ଶାରଳାରେ ଅଲ୍ଟ୍ରାସାଉଣ୍ଡ କରାଇଲେ ଜାଣିବାକୁ ପାଇଲେ କି ଶିଶୁଟି ମାଆ ପେଟରେ ମରିଯାଇଥିବା ନେଇ ପରିବାର ଲୋକ ସୂଚନା ଦେଇଛନ୍ତି। ତେବେ ଏହି ଘଟଣା ପରେ ଦୁଃଖରେ ଭାଙ୍ଗି ପଡିଥିଲେ ରୀନା ଓ ପରିବାର ଲୋକେ । କିଛି ବୁଦ୍ଧି ଦିଶୁ ନଥିଲା ସେମାନଙ୍କୁ ।  ସେପଟେ ମଲା ଶିଶୁଟିକୁ ପେଟରେ ରଖି ଯନ୍ତ୍ରଣାରେ ଛଟପଟ ହେଉଥିଲେ ରୀନା । ଦୁଇ ଦୁଇ ଥର ନେହୁରା ହୋଇଥିଲେ ମେଡିକାଲର ଜଣେ ମହିଳା ଡାକ୍ତରଙ୍କୁ । ହେଲେ ନିରାଶ ହୋଇଥିଲେ ରୀନାର ପରିବାର ଲୋକେ । 

ରୀନାଙ୍କ ପାଇଁ ସ୍ଥାନୀୟ ସମାଜ ସେବୀ ବିଶ୍ଵନାଥ ଦାସ ସିଡିଏମଓଙ୍କ ସହ କଥା ହୋଇଥିଲେ ମଧ୍ଯ କିଛି ଫଳପ୍ରଦ ହୋଇନଥିଲା । ରକ୍ତର ଅଭାବ ଯୋଗୁଁ ରୀନାଙ୍କ ଅବସ୍ଥା ମଧ୍ଯ ସଙ୍କଟାପନ୍ନ ହୋଇ ପଡିଥିଲା । ୮୦୦ ଟଙ୍କା ଦେଇ ବ୍ଲଡବ୍ୟାଙ୍କରୁ ରକ୍ତ କିଣି ଏବେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି ରୀନା । 

ତେବେ ଏଠାରେ ପ୍ରଶ୍ନ ଉଠୁଛି, ପୁରୀ ବଡ ମେଡିକାଲରେ ପ୍ରସୂତୀ ବିଭାଗ ପାଇଁ ଗୋଟେ ଅଲଟ୍ରାସାଉଣ୍ଡର ବ୍ୟବସ୍ଥା ଆଜି ଯାଏ କାହିଁକି ହୋଇ ପାରିନି ?  ଘରୋଇ ଡାଇଗ୍ନୋଷ୍ଟିକସ୍ ସହିତ ମେଡିକାଲ ଡାକ୍ତରଙ୍କର ମଧୁଚନ୍ଦ୍ରିକା ଚାଲିଛି କି ? ଅନେକ ଦିନରୁ ବିଭିନ୍ନ ସମସ୍ୟା ଓ ଆବଶ୍ୟକତାକୁ ନେଇ ଗଣମାଧ୍ୟମ, ବୁଦ୍ଧିଜୀବୀ ଆଦିମାନେ ସରକାର ଓ ମେଡିକାଲ କର୍ତୃପକ୍ଷଙ୍କୁ ଅବଗତ କରାଉଥିଲେ ମଧ୍ଯ କଣ ପାଇଁ ଏଯାବତ ମେଡିକାଲର ମୌଳିକ ଆବଶ୍ୟକତାକୁ ପୁରଣ କରାଯାଉନାହିଁ ? ଯଦି ରାତିରେ ପ୍ରସୂତୀଙ୍କର ଅଲ୍ଟ୍ରାସାଉଣ୍ଡ କରି ହେଇଥାନ୍ତା ତାହେଲେ ବୋଧହୁଏ ଦୁନିଆ ଦେଖିବା ପୂର୍ବରୁ ଶିଶୁଟିର ଜୀବନ ବଞ୍ଚିଯାଇଥାନ୍ତା । 

ଖବର ଲେଖିବା ବେଳକୁ ରୀନାଙ୍କୁ ଦୁଇ ଦୁଇଟି ଘରୋଇ ହସ୍ପିଟାଲରୁ ବିଫଳ ହେବା ପରେ ଭୂବନେଶ୍ବର ସମ ହସ୍ପିଟାଲରେ ଅପରେସନ କରି ମେସିନ ଦ୍ବାରା ମଲା ଶିଶୁଟିକୁ କଥା ଯାଇଛି । ରୀନାଙ୍କ ସ୍ଵାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବା ପରିବାର ସୂତ୍ରରୁ ସୂଚନା ମିଳିଛି ।

Related Posts