ରାଷ୍ଟ୍ରପତିଙ୍କୁ ଭେଟିବ ଆପ୍: ବିଜେପି ବିରୋଧରେ କରିବ ଅଭିଯୋଗ

ନୂଆଦିଲ୍ଲୀ: ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାର ଏବଂ ବିଜେପି ମଧ୍ୟରେ ତିକ୍ତତା ଉଗ୍ର ରୂପ ଧାରଣ କରିଛି । ଦୁହେଁ ପରସ୍ପରକୁ ସମାଲୋଚନା କରିବାର ‌ଗୋଟିଏ ବି ସୁଯୋଗକୁ ହାତଛଡ଼ା କରୁନାହାନ୍ତି ।ବିଜେପି ‘ଅପରେସନ୍ ଲୋଟସ୍’ ମାଧ୍ୟମରେ ଦିଲ୍ଲୀରେ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବାର ଅଭିଯୋଗ କରିଛିି ଆପ୍। ଏହି ପ୍ରସଙ୍ଗରେ ଆପ୍ ବିଧାୟକମାନେ ସେପ୍ଟେମ୍ବର ୭ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ଆମ୍ ଆଦମୀ ପାର୍ଟିର ବିଧାୟକମାନେ ଏହି ବୈଠକ ପାଇଁ ରାଷ୍ଟ୍ରପତିଙ୍କଠାରୁ ସମୟ ମାଗିଥିଲେ। ଏବେ ସେମାନଙ୍କୁ ସେପ୍ଟେମ୍ବର ୭ରେ ଭେଟିବାର ସମୟ ଦିଆଯାଇଛି।

ଗତ ସପ୍ତାହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦାବି କରିଥିଲେ ଯେ, ଯଦି ଭାରତୀୟ ଜନତା ପାର୍ଟି (ବିଜେପି) ଦେଶର ଅନ୍ୟ ଦଳର ସରକାରକୁ ଭାଙ୍ଗିବା ପାଇଁ ୬,୩୦୦ କୋଟି ଟଙ୍କା ଖର୍ଚ୍ଚ କରିନଥାନ୍ତା, ତେବେ ଖାଦ୍ୟ ସାମଗ୍ରୀ ଉପରେ କେନ୍ଦ୍ର ସରକାରଙ୍କୁ ଜିଏସଟି ଆଦାୟ କରିବାକୁ ପଡିନଥାନ୍ତା। ଏଭଳି ଆରୋପ ଲଗାଇବା ସହ କେଜ୍ରିୱାଲ ବିଜେପିକୁ ରାଜନୈତିକ ଦଳର ସିରିଏଲ କିଲର୍ ବୋଲି ମଧ୍ୟ କହିଥିଲା।

ଏହା ସହ ଆପର ୨୦-୨୫ ବିଧାୟକ ବିଜେପି ସହ ଯୋଗାଯୋଗ କରୁଥିବା ନେଇ ଦାବି କରାଯିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଭୁଲ ପ୍ରମାଣିତ କରିବା ପାଇଁ ଆସ୍ଥା କରିବାକୁ କହିଥିଲେ। ସେପ୍ଟେମ୍ବର ୧ରେ ବିଧାନସଭାରେ ଆସ୍ଥା ଭୋଟ କରାଯାଇଥିବା ବେଳେ କେଜ୍ରିୱାଲ ବହୁମତରେ ବିଜୟୀ ହୋଇଥିଲେ।

Related Posts