ରାଷ୍ଟ୍ରପତି ନିର୍ବାଚନ ପାଇଁ ୧୬ ରେ ବିଜେପି ଓ ୧୭ ରେ ଏନଡିଏର ଏମ୍‌ପିଙ୍କୁ ନେଇ ବୈଠକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ବିଜେପି ର ପ୍ରସ୍ତୁତି ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିପାଇଁ ଦଳର ସମସ୍ତ ଏମ୍‌ପିଙ୍କୁ ଜୁଲାଇ ୧୬ରେ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ କରାଯାଇଛି। ଏହି ରାତ୍ରୀଭୋଜନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନେପି ନଡ୍ଡା ପ୍ରମୁଖ ଉପସ୍ଥିତ ରହିବେ।ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ସମସ୍ତ ଏମ୍‌ପିଙ୍କୁ ୧୬ତାରିଖ ଅପରାହ୍ନ ୫ଟା ସୁଦ୍ଧା ଦିଲ୍ଲୀରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ସଂସଦ ଗୃହର ଜିଏମସି ବାଲାୟୋଗୀ ଅଡିଟୋରିୟମରେ ୧୬ ଜୁଲାଇ ସନ୍ଧ୍ୟା ସାଢ଼େ ୬ରେ ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ରାଷ୍ଟ୍ରପତି ନିର୍ବାଚନରେ ମତଦାନ ସମ୍ପର୍କରେ ସୂଚନା ଦିଆଯିବ। ଭୋଟ କିପରି ଦିଆଯିବ, ବାଲାଟ ପେପରରେ ଦ୍ରୌପଦୀ ମୁର୍ମୁଙ୍କ ନାମ ଆଗରେ କିପରି ପ୍ରଥମ ପ୍ରାଥମିକତା ଦିଆଯିବ ତାହା ବୈଠକରେ ତାଲିମ ପ୍ରଦାନ କରାଯିବ।

ଏହାପରେ ଜୁଲାଇ ୧୭ ରବିବାର ଅପରାହ୍ନ ୩ଟାରେ ସେହି ସ୍ଥାନରେ ଏନଡିଏର ବୈଠକ ଡକାଯାଇଛି।ଏଥିରେ ଏନଡିଏର ସମସ୍ତ ଏମ୍‌ପି ଓ ମନ୍ତ୍ରୀଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି। ସମସ୍ତ ଭାଜପା ଏବଂ ସହଯୋଗୀ ଦଳର ଏମ୍‌ପିଙ୍କ ଭୋଟ କିପରି ଶତପ୍ରତିଶତ ଦ୍ରୌପଦୀଙ୍କୁ ଯିବ ସେଥିପାଇଁ ଏହି ରଣନୀତି ପ୍ରସ୍ତୁତ କରାଯାଇଛି । ରାଷ୍ଟ୍ରପତି ନିର୍ବାଚନ ଜୁଲାଇ ୧୮ ରେ ଅନୁଷ୍ଠିତ ହେବ। ଏହା ସହିତ ସେହିଦିନଠାରୁ ସଂସଦର ମୌସୁମୀ ଅଧିବେଶନ ମଧ୍ୟ ଆରମ୍ଭ ହେଉଛି।

Related Posts