ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମେହବୁବା ମୁଫତିଙ୍କ ଟାର୍ଗେଟ; “କୋବିନ୍ଦ ସର୍ବଦା ଭାଜପାର ରାଜନୈତିକ ଏଜେଣ୍ଡା ପୂରଣ କରିଛନ୍ତି”

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁ ସୋମବାର ଶପଥ ଗ୍ରହଣ କରିଛନ୍ତି। ସେ ଶପଥ ଗ୍ରହଣ କରିବା ପରେ ପୂର୍ବତନ ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଟାର୍ଗେଟ କରିଛନ୍ତି।ସେ ଟୁଇଟ୍‌ କରି କହିଛନ୍ତି, ‘ଧାରା ୩୭୦, ନାଗରିକତା ଅଧିନିୟମ (ସିଏଏ) ହେଉ କିମ୍ବା ସଂଖ୍ୟାଲଘୁ କିମ୍ବା ଦଳିତଙ୍କୁ ଟାର୍ଗେଟ କରିବା, ଭାରତୀୟ ସମ୍ବିଧାନ ନାମରେ ରାମନାଥ କୋବିନ୍ଦ ସର୍ବଦା ଭାଜପାର ରାଜନୈତିକ ଏଜେଣ୍ଡା ପୂରଣ କରିଛନ୍ତି।

ପୂର୍ବରୁ ମଧ୍ୟ ମେହବୁବା ବିଭିନ୍ନ ପ୍ରସଙ୍ଗରେ ଭାଜପା ଉପରେ ଆକ୍ରମଣ କରିଆସୁଛନ୍ତି। ଏହାପୂର୍ବରୁ ସେ ‘ପ୍ରତି ଘରେ ତ୍ରିରଙ୍ଗା ଅଭିଯାନ’କୁ ଟାର୍ଗେଟ କରିଥିଲେ। ସେ ଟୁଇଟ କରି କହିଥିଲେ, ଜମ୍ମୁ-କଶ୍ମୀରରେ ପ୍ରଶାସନ ଯେଉଁଭଳି ଭାବରେ ଛାତ୍ର, ଦୋକାନୀ ଏବଂ କର୍ମଚାରୀଙ୍କୁ ଜାତୀୟ ପତାକା ଉତ୍ତୋଳନ ପାଇଁ ଅର୍ଥ ଦେବାକୁ ବାଧ୍ୟ କରୁଛି, ଏଥିରୁ ଜଣାପଡୁଛି ଯେ, କଶ୍ମୀର ହେଉଛି ଏକ ଏମିତି ବିରୋଧୀ ଅଞ୍ଚଳ, ଯାହାକୁ କବ୍‌ଜା କରିବା ଆବଶ୍ୟକ।

ଏଥି ସହିତ, ପୂର୍ବରୁ ମୁଫତି କହିଥିଲେ, ଜବାହରଲାଲ ନେହରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀଙ୍କ ଭଳି ନେତାଙ୍କ ରକ୍ତ ଓ ଝାଳରେ ଏହି ଦେଶ ନିର୍ମିତ ହୋଇଛି। ଏହାର ଆଧାର ଗଣତନ୍ତ୍ର ଏବଂ ଧର୍ମନିରପେକ୍ଷତା ଥିଲା, ଭାଜପା ଏହାର ବିପରୀତ କାର୍ଯ୍ୟ କରୁଛି। ମୁଁ ମୋ ଜୀବନରେ ଏହାଠାରୁ ଅଧିକ ଦୁର୍ନୀତିଗ୍ରସ୍ତ ସରକାର କେବେ ଦେଖି ନାହିଁ। ମଧ୍ୟପ୍ରଦେଶ, ରାଜସ୍ଥାନ, ଗୋଆ କିମ୍ବା ମହାରାଷ୍ଟ୍ରରେ ଭାଜପା ଯେପରି ଘୋଡା ବେପାର କରିଛି, ଇତିହାସରେ ଏଭଳି ଦୁର୍ନୀତିର କୌଣସି ବଡ଼ ଉଦାହରଣ ନାହିଁ।

Related Posts