
ନୂଆଦିଲ୍ଲୀ: ବର୍ଷେ ହେବ କାର୍ଯ୍ୟରୁ ମିଳିଲାନି ଛୁଟି | ଫଳରେ ଭାଙ୍ଗି ପଡି ଚରମ ପଦକ୍ଷପ ଗ୍ରହଣ କଲେ ଜଣେ ଅଗ୍ନିଶମ କର୍ମଚାରୀ । ଗଞ୍ଜାମ ଗାଙ୍ଗପୁର ଥାନା ବୁଢ଼ାକେନ୍ଦୁ ଜଙ୍ଗଲରେ ଅଗ୍ନିଶମ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ କର୍ମଚାରୀ ଜଣକ କେନ୍ଦୁଝର ଜିଲ୍ଲାର ଦୟାନିଧୀ ମହନ୍ତ । ଆସ୍କା ଅଗ୍ନିଶମ କେନ୍ଦ୍ରରେ କାର୍ଯ୍ୟରତ ଥିଲେ ଦୟାନିଧୀ । ଦୀର୍ଘ ୨୪ ବର୍ଷ ଧରି ଦୟାନିଧୀ ଏଠାରେ କାର୍ଯ୍ୟରତ ଥିଲେ ।
ତେବେ ଆତ୍ମହତ୍ୟା କରିବା ପୂର୍ବରୁ ସେ ଏକ ଚିଠି ଛାଡି ଯାଇଛନ୍ତି | ସେଥିରେ ସେ ଲେଖିଛନ୍ତି,
“ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ଓ ୟୁ.ପି ମୁଖ୍ୟମନ୍ତ୍ରୀ ଯୋଗୀ ଜୀ। ନିବେଦନର ଅଭିପ୍ରାୟ ଏହି କି ଯେ ମୁଁ ଦୟାନିଧି ମହନ୍ତ, ଆସିକା ଅଗ୍ନିଶମ କେନ୍ଦ୍ରରେ ଡ୍ରାଇଭର ହାବିଲଦାର ଭାବେ କାର୍ଯ୍ୟରତ।
ମୁଁ ଦୁଇ ବର୍ଷ ହେବ ମାନସିକ ଚାପରେ ରହୁଥିଲି। ଛୁଟି ପାଇଁ ବାରମ୍ବାର ଆବେଦନ କରୁଥିଲେ ମଧ୍ୟ ଉପରିସ୍ଥ ଅଧିକାରୀ ଛୁଟି ମଞ୍ଜୁର କରୁ ନଥିଲେ। ଘର ନିକଟରେ ଚାକିରି ପାଇଁ ଆବେଦନ କରିଥିଲି। ହେଲେ ଘରଠାରୁ ୫୦୦ କି.ମି ଦୂରରେ ମୋତେ ଚାକିରି ଦିଆଯାଇଥିଲା। ଯାହାଫଳରେ ମୁଁ ପରିବାର ଲୋକଙ୍କୁ ସମୟ ଦେଇପାରୁ ନଥିଲି। ଛୁଟି ମିଳୁ ନ ଥିବାରୁ ଘରକୁ ଯାଇପାରୁ ନ ଥିଲି। ମୋ ସ୍ତ୍ରୀ ମୋତେ ଛାଡ଼ି ପଳାଇଛି। ବାପାମା’ଙ୍କର ମୃତ୍ୟୁ ହୋଇଯାଇଛି। ଏହି ଚାକିରି କରି କି ଲାଭ?”
ଏପରି ସୁଇସାଇଡ ନୋଟ୍ ଲେଖି ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଦୟାନିଧି। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବୁଢ଼ାକେନ୍ଦୁ ଜଙ୍ଗଲରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।
ଦୟାନିଧିଙ୍କ ମୃତଦେହ ନିକଟରେ ଏକ ବ୍ୟାଗ ପଡ଼ିଥିଲା। ଏହି ବ୍ୟାଗରୁ ଦୁଇ ପୃଷ୍ଠାର ସୁଇସାଇଡ୍ ନୋଟ୍କୁ ଜବତ କରିଛି ପୁଲିସ। ଦୟାନିଧି ସୁଇସାଇଡ୍ ନୋଟରେ ଆହୁରି ଅନେକ କଥା ଲେଖିଥିବା ଜଣାଯାଇଛି।
ଗତକାଲି ରାତିରେ ବୁଢାକେନ୍ଦୁ ରାସ୍ତା ଉପରେ ଅଗ୍ନିଶମ ଗାଡ଼ି ରହିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ତେବେ ଆଜି ସକାଳେ ବୁଢାକେନ୍ଦୁ ଜଙ୍ଗଲରେ ଏକ ଗଛରେ ଦୟାନିଧିଙ୍କ ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଗାଙ୍ଗପୁର ପୁଲିସ ଘଟଣାର ତଦନ୍ତ କରୁଛି। ଗାଙ୍ଗପୁର ପୁଲିସ ଓ ଭଞ୍ଜନଗର ଅଗ୍ନିଶମ କର୍ମଚାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।