‘ସରକାର ଭାଙ୍ଗିବାକୁ କିଛି ବିଧାୟକ ଅମିତ ଶାହାଙ୍କ ସହ ବୈଠକ କରିଥିଲେ’; ନାଁ ନନେଇ ପାଇଲଟଙ୍କୁ ଟାର୍ଗେଟ କଲେ ଗେହଲୋଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଏକ ପ୍ରକାର ଶୀତଳ ଯୁଦ୍ଧ ଚାଲିଛି। ଏହି କ୍ରମରେ ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଗେହଲୋଟ ଜୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସଚିନ ପାଇଲଟଙ୍କ ନାଁ ନନେଇ ପରୋକ୍ଷରେ ଟାର୍ଗେଟ କରିଛନ୍ତି। ପ୍ରତିକ୍ରିୟା ଦେଇ ସଚିନ ପାଇଲଟଙ୍କ ବିଦ୍ରୋହକୁ ନେଇ ପୁଣି ଥରେ ସେ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ ତାଙ୍କ ସରକାରକୁ ହଟାଇବା ପାଇଁ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଘରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସମସ୍ତେ ଏହା ଜାଣନ୍ତି। କିଛି ବିଧାୟକ ମଧ୍ୟ ସେହି ବୈଠକକୁ ଯାଇଥିଲେ। ଗେହଲୋଟ ଏହା ମଧ୍ୟ କହିଛନ୍ତି ଯେ ସେହି ସମୟରେ ଅମିତ ଶାହାଙ୍କ ଘରେ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜାଫର ଇସଲାମ ମଧ୍ୟ ଉପସ୍ଥିତ ଥିଲେ।ସଚିନ ପାଇଲଟଙ୍କ ନାମ ନନେଇ ଗେହଲୋଟ କହିଛନ୍ତି ଯେ, ଅମିତ ଶାହା ଆମ ବିଧାୟକମାନଙ୍କୁ ମିଠା ଖୁଆଇଥିଲେ। ସେମାନଙ୍କୁ କିଛି ସମୟ ଅପେକ୍ଷା କରିବାକୁ କୁହାଯାଇଥିଲା। ଶେଷରେ ସତ୍ୟର ବିଜୟ ହେଲା। ଆମ ସରକାର ବଞ୍ଚିଗଲା । ସରକାରକୁ ବଞ୍ଚାଇଥିବା ବିଧାୟକମାନଙ୍କୁ ଆମେ କିପରି ଭୁଲି ପାରିବା? ମୁଁ କିପରି ୧୦୨ ବିଧାୟକଙ୍କୁ ଭୁଲି ପାରିବି? ମୁଁ ଯେଉଁଠାରେ ରହେ ବା ନରୁହେ ତାହା ଏକ ଭିନ୍ନ ବିଷୟ। ମୁଁ ବିଧାୟକଙ୍କ ଅଭିଭାବକ। ଆଜି, ଯଦି ଦୁଇ କିମ୍ବା ଚାରିଜଣ ବିଧାୟକ ମୋ ବିରୁଦ୍ଧରେ କିଛି ମନ୍ତବ୍ୟ ଦିଅନ୍ତି, ଏହାକୁ ନେଇ ମୁଁ କିଛି ଖରାପ ଭାବେ ନାହିଁ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ସରକାର ଭାଙ୍ଗିବାକୁ ବିଧାୟକମାନଙ୍କୁ ୧୦ କୋଟି ଟଙ୍କା ଲେଖାଏଁ ଦେବାକୁ କୁହାଯାଇଥିଲା। ହୋଟେଲ ଛାଡିବା ପରେ ୧୦ କୋଟିର ଅଫର ଥିଲା। ତେବେ ପରେ ପରିସ୍ଥିତି ବଦଳିଯାଇଥିଲା। କିଛି ଲୋକ ପରିବର୍ତ୍ତନ ହୋଇ ଯାଆନ୍ତି। କିନ୍ତୁ ମୁଁ ସେମାନଙ୍କ ଅନୁଗ୍ରହକୁ ଭୁଲି ପାରିବି ନାହିଁ। ଗେହଲୋଟ କହିଛନ୍ତି ଯେ, ଦେଶରେ ଭାଜପା ଘୋଡା ବେପାର ଖେଳ ଖେଳୁଛି। ଗଣତନ୍ତ୍ରର ହତ୍ୟାକାରୀ ସାଜିଛନ୍ତି ଭାଜପା ନେତା। ଟଙ୍କା ଦ୍ଵାରା ନିର୍ବାଚିତ ସରକାରଙ୍କୁ ଭାଙ୍ଗିବାକୁ ଭାଜପା ଚେଷ୍ଟା କରୁଥିବା ନିଜ ମନ୍ତବ୍ୟରେ ଗେହଲୋଟ କହିଛନ୍ତି।

Related Posts