୨ ଛାତ୍ରଙ୍କୁ ଧକ୍କା ଦେଲା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଏସ୍‌କର୍ଟ ଗାଡି

ନୂଆପଡ଼ା : ୨ କଲେଜ୍ ଛାତ୍ରଙ୍କୁ ଧକ୍କା ଦେଲା ମନ୍ତ୍ରୀଙ୍କ ଏସକର୍ଟ ଗାଡ଼ି । ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଏସ୍‌କର୍ଟ ଗାଡି ଧକ୍କା ଦେବା ପରେ ଦୁଇ ଛାତ୍ର ଯନ୍ତ୍ରଣାରେ ରାସ୍ତାରେ ଛଟପଟ ହେଉଥିବା ବେଳେ ଏସକର୍ଟ ଗାଡ଼ି କିନ୍ତୁ ଫେରାର ହୋଇଯାଇଥିଲା। ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଏହାକୁ ନେଇ ନୂଆପଡ଼ା ଜିଲ୍ଲା ହସ୍ପିଟାଲରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଗୁରୁତର ଛାତ୍ରଦ୍ୱୟ ହେଲେ ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଖରିଆରରୋଡ଼ ସହର ପିଏଚଡିପଡାର ଜିତୁ ଦାସ ଓ ଯୋଗେଶ ପୋଡ଼ । ସେମାନେ ନ୍ୟାସନାଲ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ।

ସୂଚନାଯୋଗ୍ୟ, ଆଜି ସକାଳେ ଜିତୁ ଓ ଯୋଗେଶ ଏକ ବାଇକ୍‌ରେ କଲେଜ ଯାଉଥିଲେ। ଏହି ସମୟରେ ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଏସ୍‌କର୍ଟ ଗାଡି ନୂଆପଡ଼ାରୁ ଖରିଆରରୋଡ଼ସ୍ଥିତ ମନ୍ତ୍ରୀଙ୍କ ବାସଭବନକୁ ଯାଉଥିଲା । ଗୋତମା ଗାଁ ନିକଟ ରାଜପଥ ଉପରେ ମନ୍ତ୍ରୀଙ୍କ ଏସକର୍ଟ ଗାଡ଼ି ବାଇକ୍‌କୁ ପିଟି ଦେଇଥିଲା। ଛାତ୍ରଦ୍ୱୟ ତଳେ ପଡ଼ି ଛଟପଟ ହେଉଥିବା ବେଳେ ଏସକର୍ଟ ଗାଡ଼ିଟି କିନ୍ତୁ ନ ଅଟକି ପଳାଇଥିଲା।

ଖବର ପାଇ କଲେଜର ପିଲାମାନେ ରୁଣ୍ଡ ହୋଇଥିଲେ। ଏହାପରେ ପୁଲିସ୍‌ ପଞ୍ଚି ଆହତଦ୍ୱୟଙ୍କୁ ନୂଆପଡ଼ା ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲା ମେଡିକାଲକୁ ରେଫର କରାଯାଇଛି। ମାତ୍ର ପରିବାର ଲୋକେ ସେମାନଙ୍କୁ ରାୟପୁର ନେବାକୁ ଜିଦ୍‌ ଧରିଛନ୍ତି । ଏହାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଛି।

Related Posts