ଟିଏମସି ବିଧାୟକଙ୍କ ପତ୍ନୀ ଲଟେରୀରେ ଜିତିଲେ ୧ କୋଟି ଟଙ୍କା, ମନି ଲଣ୍ଡ୍ରିଂ ଅଭିଯୋଗ ଆଣି ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଶ୍ଚିମବଙ୍ଗର ଟିଏମସି ବିଧାୟକ ବିବେକ ଗୁପ୍ତାଙ୍କ ପତ୍ନୀ ଏକ ଲଟେରୀ ଜିତିଛନ୍ତି। ଏହି ଲଟେରୀରେ ସେ ୧ କୋଟି ଟଙ୍କା ପୁରସ୍କାର ପାଇଛନ୍ତି। ଏହାକୁ ନେଇ ଏବେ ବିଜେପି ଟିଏମସିକୁ ଟାର୍ଗେଟ କରିଛି। ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀ ଅଭିଯୋଗ କରିଛନ୍ତି ଯେ, ଶାସକ ଟିଏମସିର ବିଧାୟକ ବିବେକ ଗୁପ୍ତାଙ୍କ ପତ୍ନୀ ବମ୍ପର ଲଟେରୀ ଜରିଆରେ ଯେଉଁ ଟଙ୍କା ଜିତିଛନ୍ତି ତାହା ମନି ଲଣ୍ଡ୍ରିଙ୍ଗ ସହ ଜଡିତ ରହିଛି । ବିଜେପି ନେତା ଅଭିଯୋଗ କରିଛନ୍ତି ଯେ ଲଟେରୀ କମ୍ପାନୀ ‘ଡେଡ ଲଟେରୀ’ ସହିତ ଟିଏମସିର ସଂପର୍କ ରହିଛି ।

ଏନେଇ ଶୁଭେନ୍ଦୁ କହିଛନ୍ତି ଯେ,”ମୁଁ ପୂର୍ବରୁ ମଧ୍ୟ କହିଥିଲି ଯେ, ଲଟେରୀ ଏବଂ ଟିଏମସି ମଧ୍ୟରେ ନିବିଡ ସମ୍ପର୍କ ରହିଛି । ଏହା ଟଙ୍କା ହେରଫେର କରିବାର ଏକ ସହଜ ଉପାୟ ।”

ଏନେଇ ସେ ଏକ ଟୁଇଟ୍‌ରେ କହିଛନ୍ତି ଯେ, “ସାଧାରଣ ଲୋକ ଲଟେରୀ ଟିକେଟ କିଣୁଛନ୍ତି କିନ୍ତୁ ଟିଏମସି ନେତାମାନଙ୍କୁ ବମ୍ପର ପୁରସ୍କାର ମିଳୁଛି । ପ୍ରଥମେ ଟିଏମସି ନେତା ଅନୁବ୍ରତ ମଣ୍ଡଳ ଜ୍ୟାକପଟ ଜିତିଥିଲେ ଏବଂ ବର୍ତ୍ତମାନ ଟିଏମସି ବିଧାୟକ ବିବେକ ଗୁପ୍ତାଙ୍କ ପତ୍ନୀ ୧ କୋଟି ଟଙ୍କା ଜିତିଛନ୍ତି।”

ଶୁଭେନ୍ଦୁ ଅଧିକାରୀ ଏ ସମ୍ପର୍କରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ବୋଲି କହିଛନ୍ତି। ତାଙ୍କର ଏହି ଚିଠିରେ ସେ ଦାବି କରିଛନ୍ତି ଯେ, ବେଙ୍ଗଲରେ ଡିୟର ଲଟେରୀର ଏକ ବଡ ବଜାର ଅଛି, କିନ୍ତୁ ଲଟେରୀରେ ଅନୀୟମିତତା ହେଉଛି । ଏହି ଲଟେରୀ ଖେଳରେ ଗୁରୁତର ଅନିୟମିତତା ଏବଂ କଳା କାରବାର ରହିଛି । ଏହାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଆବଶ୍ୟକ ବୋଲି ସେ କହିଛନ୍ତି ।

ତେବେ ଲଟେରୀ ନେଇ ଟିଏମସି ବିରୋଧରେ ଆସିଥିବା ଅଭିଯୋଗର ଜବାବ ରଖିଛନ୍ତି ବିଧାୟକ ବିବେକ ଗୁପ୍ତା। ସେ କହିଛନ୍ତି ଯେ, ତାଙ୍କ ପତ୍ନୀଙ୍କ ଉପରେ ରାଜନୈତିକ ଆକ୍ରମଣ କରିବା ଉଚିତ୍ ନୁହେଁ । କାରଣ ରାଜନୀତି ସହ ତାଙ୍କ ପତ୍ନୀଙ୍କର କୌଣସି ସମ୍ପର୍କ ନାହିଁ ।

Related Posts