ଆପ୍‌ର ଗୁଜରାଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନକୁ ନେଇ ଅଭିଯାନ ଆରମ୍ଭ କଲେ ଅରବିନ୍ଦ କେଜ୍ରିୱାଲ

ଅହମଦାବାଦ: ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ । ତେବେ ଏନେଇ ଆପ୍‌ ପକ୍ଷରୁ ନିର୍ବାଚନୀ ପ୍ରଚାର ଜୋରଦାର ରେ ଚାଲିଥିବା ବେଳେ, କିଏ ହେବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ? ସେନେଇ ଚର୍ଚ୍ଚା ଲାଗି ରହିଛି । ତେବେ ଏହାରି ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁଜରାଟବାସୀଙ୍କୁ ପଚାରିବା ସହ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ପାଇଁ ଗୋଟିଏ ଅଭିଯାନ ଆରମ୍ଭ କରିଛନ୍ତି।

ଏହି ଅଭିଯାନ ଦ୍ୱାରା ଲୋକମାନେ ଗୁଜରାଟ ନିର୍ବାଚନରେ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବେ, ତା’ର ଚୟନ କରିବେ।

ପଞ୍ଜାବରେ ଆପ୍‌ ସମାନ ଢଙ୍ଗରେ ଲୋକଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛିଥିଲା। ଏହା ଦଳକୁ ଫାଇଦା ମଧ୍ୟ ଦେଇଥିଲା। ତେଣୁ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଜ ରାଜ୍ୟ ଗୁଜରାଟରେ ଆପ୍‌ ସମାନ ସଫଳତା ହାତେଇବା ଲକ୍ଷ୍ୟରେ ରହିଛି।

ବର୍ତ୍ତମାନ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଥିବା କେଜ୍ରିୱାଲ ଆଜି “ଆପଣ ବାଛନ୍ତୁ ମୁଖ୍ୟମନ୍ତ୍ରୀ ବା “Choose Your Chief Minister” ନାଁରେ ଅଭିଯାନ ଆରମ୍ଭ କରିଛନ୍ତି।

ଏହି ଅଭିଯାନକୁ ଆରମ୍ଭ କରି କେଜ୍ରିୱାଲ କହିଛନ୍ତି, ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି। ସେମାନେ ମୁଦ୍ରାସ୍ଫୀତି ଓ ବେକାରୀ ସମସ୍ୟାରୁ ମୁକ୍ତି ଚାହାନ୍ତି। ବିଜେପି ବର୍ଷକ ତଳେ ନିଜର ମୁଖ୍ୟମନ୍ତ୍ରୀ ବଦଳାଇଛି। ସେମାନେ ପ୍ରଥମେ ବିଜୟ ରୂପାନିଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ।

କାହିଁକି ତାଙ୍କ ସ୍ଥାନରେ ଭୂପେନ୍ଦର ପଟେଲଙ୍କୁ ସୁଯୋଗ ମିଳିଲା? ଏହାର ଅର୍ଥ ବିଜୟ ରୂପାନିଙ୍କ ପାଖରେ କିଛି ତ୍ରୁଟି ଥିଲା? ଯେତେବେଳେ ବିଜୟ ରୂପାନିଙ୍କୁ ଅଣାଗଲା ସେତେବେଳେ ଲୋକମାନଙ୍କୁ କିଛି ବି ପଚରାଯାଇ ନଥିଲା। ଏହି ନିଷ୍ପତ୍ତି ଦିଲ୍ଲୀରେ ହୋଇଥିଲା।

ଗଣତନ୍ତ୍ରରେ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’ର ବିଚାର ଲୋକମାନେ କରିବେ। ବିଜେପି ୨୦୧୬ରେ ଏକଥା ଲୋକଙ୍କୁ ପଚାରି ନଥିଲା। ୨୦୨୧ରେ ମଧ୍ୟ ସେମାନେ ଲୋକଙ୍କୁ କିଛି ବି ପଚାରି ନଥିଲେ।

ହେଲେ ଆମ ଆଦମୀ ପାର୍ଟିରେ ଆମେ ସେମିତି କରିବୁ ନାହିଁ। ଆମେ ଲୋକଙ୍କୁ ପଚାରୁଛୁ ଯେ ସେମାନେ କାହାକୁ ମୁଖ୍ୟମନ୍ତ୍ରୀ ଭାବେ ଚାହୁଁଛନ୍ତି? ପଞ୍ଜାବରେ ଆମେ ଲୋକଙ୍କ ମତାମତ ଜାଣିବା ପରେ ମୁଖ୍ୟମନ୍ତ୍ରୀ ବାଛିଥିଲୁ। ଏକଥା ଆପଣମାନଙ୍କ ମନେଥିବ। ଲୋକଙ୍କ କଥା ଅନୁସାରେ ଆମେ ଭଗୱନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିଲୁ।

ଗୁଜରାଟରେ ଆପ୍‌ ସରକାର ଗଠନ କରିବାକୁ ଯାଉଛି। ଏପରି ସ୍ଥିତିରେ ଆମ ମାନଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଯିଏ ହେବେ, ସେ ପରବର୍ତ୍ତୀ ଅବସ୍ଥାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ। ତେଣୁ ଆମେ ଆଜି ଲୋକଙ୍କୁ ପଚାରୁଛୁ ଯେ କିଏ ଆପଣମାନଙ୍କ ମୁଖ୍ୟମନ୍ତ୍ରୀ ହେବା ଦରକାର?

ଏଥିପାଇଁ ଆମେ 6357000360 ନମ୍ବର ଜାରି କରୁଛୁ। ଏହି ନମ୍ବରରେ ଲୋକମାନେ ନିଜର ମତାମତ ଦେଇପାରିବେ। ଲୋକମାନେ ଏସଏମଏସ, ହ୍ୱାଟସଆପ ଓ ଭୟସ ମେସେଜ ଜରିଆରେ ନିଜ ମତାମତ ପଠାଇବେ। ଆପଣମାନେ aapnocm@gmail.com ଜରିଆରେ ଇ-ମେଲ ମଧ୍ୟ କରିପାରିବେ।

ଏହାର ଅର୍ଥ ୪ଟି ଉପାୟରେ ଲୋକମାନେ ସେମାନଙ୍କ ମତାମତ ରଖିବାକୁ ସୁଯୋଗ ପାଇବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ନମ୍ବରଟି ୩ ନଭେମ୍ବର ସନ୍ଧ୍ୟା ୫ଟା ଯାଏ କାର୍ଯ୍ୟକ୍ଷମ ରହିବ। ପବ୍ଲିକ ଓପିନିୟନର ରେଜଲ୍ଟ ୪ ତାରିଖରେ ସର୍ବସମ୍ମୁଖରେ ଘୋଷଣା କରାଯିବ ବୋଲି କେଜ୍ରିୱାଲ କହିଛନ୍ତି

Related Posts