ପିଜା ଖାଇବାକୁ ଇଚ୍ଛା ପ୍ରକାଶ କରିଥିଲେ ମୀରାବାଇ ଚାନୁ : ଲାଇଫ୍ ଟାଇମ୍ ଫ୍ରୀ ଘୋଷଣା କଲା ‘ଡୋମିନସ୍’

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଭାର ଉତ୍ତୋଳନରେ ରୌପ୍ୟ ପଦକ ହାସଲ କରି ଭାରତ ପାଇଁ ପ୍ରଥମ ପଦକ ଜିତିଥିଲେ ମୀରାବାଇ ଚାନୁ । ଏହାପର ଠାରୁ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ତାଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ମଣିପୁର ସରକାର ତାଙ୍କୁ ଏକ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି। ସେ ପଦକ ଜିତିବା ପରେ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ବହୁଦିନ ହେବ ପିଜା ଖାଇନାହାନ୍ତି।  ମୀରାବାଇ ଚାନୁ ପିଜା ଖାଇବାକୁ ଇଚ୍ଛା ପ୍ରକାଶ କରିବା ପରେ ଏହାକୁ ନେଇ ଦେଶର ସବୁଠାରୁ ଅଧିକ ପିଜା ବିକ୍ରେତା କମ୍ପାନୀ ‘ଡୋମିନସ’ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି ।

ଡୋମିନସ୍ ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି , ଟୋକିଓ ଅଲମ୍ପିକରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ଭାର ଉତ୍ତୋଳନକାରୀ ମୀରାବାଇଙ୍କୁ କମ୍ପାନୀ ତରଫରୁ ଲାଇଫଟାଇମ୍ ମାଗଣାରେ ପିଜା ଯୋଗାଇ ଦିଆଯିବ ।

ଅଲିମ୍ପିକ୍ସର ଦ୍ବିତୀୟ ଦିନରେ ରୌପ୍ୟ ପଦକ ହାସଲ କରି ମହିଳା ଭାରୋତ୍ତୋଳକ ମୀରାବାଇ ଚାନୁ ଇତିହାସ ରଚିଛନ୍ତି । ୪୯ କିଲୋଗ୍ରାମ ବର୍ଗରେ ସେ ରୌପ୍ୟ ଜିତିଛନ୍ତି । ସ୍ନାଚ୍ ଇଭେଣ୍ଟର ପ୍ରଥମ ପ୍ରୟାସରେ ୮୪ କିଲୋଗ୍ରାମ ଓ ଦ୍ୱିତୀୟ ପ୍ରୟାସରେ ୮୭ କିଲୋମଗ୍ରାମ ଓଜନ ଉଠାଇଥିଲେ ।

କିନ୍ତୁ ତୃତୀୟ ପ୍ରୟାସରେ ସେ ୮୯ କିଲୋଗ୍ରାମ ଉଠାଇବାରେ ବିଫଳ ହୋଇଥିଲେ । ଏଥିସହ ସେ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲକୁ ଉନ୍ନୀତ ହୋଇଥିଲେ । କ୍ଲିନ୍ ଏଣ୍ଡ ଜର୍କର ପ୍ରଥମ ପ୍ରୟାସରେ ସେ ୧୧୦କିଲୋଗ୍ରାମ ଓଜନ ଉଠାଇଥିଲେ । କିନ୍ତୁ ଦ୍ୱିତୀୟ ପ୍ରୟାସରେ ୧୧୫ କିଲୋଗ୍ରାମ ଉଠାଇବାରେ ବିଫଳ ହୋଇଥିଲେ ମୀରାବାଇ ଚାନୁ । ସ୍ୱର୍ଣ୍ଣ ପଦକ ଚୀନର ହୁ ଜିହୁଇ ଜିତିଛନ୍ତି ।

ଅଲିମ୍ପିକ୍ସରେ ଭାରୋତ୍ତୋଳନରେ ଶେଷ ଥର ୨୦୦୦ ମସିହାରେ କର୍ଣ୍ଣମ ମାଲେଶ୍ୱର ବ୍ରୋଞ୍ଜ ପଦକ ଜିତିଥିଲେ ।

Related Posts