ଦୁଇବର୍ଷରେ ମିଶନ ଶକ୍ତି ମହିଳାଙ୍କ ୩୫୮୩ କୋଟି ଟଙ୍କାର ବ୍ୟବସାୟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରୋତ୍ସାହନ ଯୋଗାଉଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଞ୍ଚ ବର୍ଷ ମଧ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ମାଧ୍ୟମରେ ୫ହଜାର କୋଟି ଟଙ୍କାର ସରକାରୀ ବ୍ୟବସାୟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମ ଦୁଇବର୍ଷରେ ମିଶନ ଶକ୍ତି ବିଭାଗ ବିଭିନ୍ନ ବିଭାଗରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସହ ୩୫୮୩ କୋଟି ଟଙ୍କାର ବ୍ୟବସାୟ ସଂଯୋଜିତ କରିଛି ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହି ସୂଚନା ପ୍ରାପ୍ତ ହୋଇଛି। ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍‌ ମୋଡ୍‌ରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ମିଶନ ଶକ୍ତି ବିଭାଗର ସଚିବ ସୁଜାତା କାର୍ତ୍ତିକେୟନ୍‌ ଏ ସମ୍ବନ୍ଧିତ ତଥ୍ୟ ଉପସ୍ଥାପନ କରିଥିଲେ ।

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବ୍ୟବସାୟରେ ସାମିଲ୍‌ କରିବା ପାଇଁ ବିଭିନ୍ନ ବିଭାଗମାନେ ବର୍ତ୍ତମାନ ସୁଦ୍ଧା ନେଇ ଥିବା ପଦକ୍ଷେପ ଉପରେ ଏହି ବୈଠକରେ ସମୀକ୍ଷା ହୋଇଥିଲା। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ଯେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ସହଭାଗିତା ନିମନ୍ତେ ନୂଆ ପ୍ରକଳ୍ପ ପ୍ରସ୍ତୁତ କରିବା ସହ ଅଧିକରୁ ଅଧିକ ଗୋଷ୍ଠୀଙ୍କୁ ଏଥିରେ ସଂପୃକ୍ତ କରାଇବା ପାଇଁ ସେ ଗୁରୁତ୍ବ ଦେଇଥିଲେ।

ବିଶେଷ କରି କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ଗ୍ରାମ ପଂଚାୟତ ପୋଖରୀରେ ମାଛ ଚାଷ,ପ୍ରାଥମିକ ସ୍ୱାସ୍ଥ୍ୟ, କୁକୁଡ଼ା ପାଳନ, ପଶୁପାଳନ, ବ୍ୟବସାୟିକ ଭିତ୍ତିରେ ପନିପରିବା ଚାଷ, ବୃକ୍ଷ ରୋପଣ, ଚଣା ଓ ମାଣ୍ଡିଆ ଭିତ୍ତିକ ଦ୍ରବ୍ୟ ପ୍ରସ୍ତୁତି, କୃଷି-ଉଦ୍ୟୋଗ, ଆଶ୍ରମ ବିଦ୍ୟାଳୟ ମାନଙ୍କୁ ଖାଦ୍ୟ ଦ୍ରବ୍ୟ ଓ ପନିପରିବା ଯୋଗାଣ,କୃଷି ବିଭାଗ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ପାଇଁ ଚାରା ପ୍ରସ୍ତୁତି ନର୍ସରୀ, ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପରେ ଜଳ ଯୋଗାଣର ତଦାରଖ, ଇକୋ-କ୍ୟାମ୍ପ ପରିଚାଳନା ଆଦି କ୍ଷେତ୍ରରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ସାମିଲ କରିବା ପାଇଁ ନିର୍ଦ୍ଦିଷ୍ଟ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ଏତଦ୍ ବ୍ୟତୀତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ମିଟର ରିଡିଂ ଏବଂ ବିଦ୍ୟୁତ ଦେୟ ଆଦାୟ କାର୍ଯ୍ୟରେ ଅଧିକରୁ ଅଧିକ ସାମିଲ୍‌ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।

ଏହା ବ୍ୟତୀତ କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଔଷଧ ବାଣ୍ଟିବା, କୃଷି ବିଭାଗର ପୃଷ୍ଟି ବଗିଚା ସୃଷ୍ଟି କରିବା , ସାର ଓ ଖତ ପିଟ୍‌ ନିର୍ମାଣ, ଜଳ ସାଥୀ ଏବଂ ସ୍ୱଚ୍ଛ ସାଥୀ ଆଦି କାର୍ଯ୍ୟରେ ମହିଳାଙ୍କୁ ସାମିଲ୍‌ କରିବା ଦିଗରେ ଏହି ବୈଠକରେ ଆଲୋଚନା ହୋଇଥିଲା । ବିଭିନ୍ନ ବିଭାଗମାନେ ଅଧିକରୁ ଅଧିକ ପ୍ରକଳ୍ପ ଓ କାରବାର ଏହି ଗୋଷ୍ଠୀମାନଙ୍କ ମାଧ୍ୟମରେ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ଏହି ଅବସରରେ ରାଜଧାନୀ ଭୁବନେଶ୍ୱରରେ ଥିବା ରାଜ୍ୟ ଗ୍ରାମୀଣ ବିକାଶ ପ୍ରତିଷ୍ଠାନ ପରିସରରେ ମିଶନ ଶକ୍ତି ବଜାର ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହା ମିଶନ ଶକ୍ତି ବଜାର ଜରିଆରେ ବର୍ଷ ତମାମ ଏହି ଗୋଷ୍ଠୀମାନଙ୍କ ଉତ୍ପାଦିତ ଦ୍ରବ୍ୟ ବିକ୍ରିରେ ସୁବିଧା ସୃଷ୍ଟିହେବ ଏବଂ ଜନସାଧାରଣ ମଧ୍ୟ ଉପଯୁକ୍ତ ଦାମରେ ବିଭିନ୍ନ ଉତ୍ପାଦ ପାଇ ପାରିବେ । ଏବଂ ଠିକ୍ ସେହିପରି ଅନ୍ୟାନ୍ୟ ପ୍ରମୁଖ ସ୍ଥାନ ଗୁଡ଼ିକରେ ଏମିତି ମିଶନ ଶକ୍ତି ବଜାର ଖୋଲିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ ।

ମିଶନ ଶକ୍ତି ବିଭାଗର ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟାନ ଜଣାଇଥିଲେ ଯେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ୨୦୧୯-୨୦ ଆର୍ଥିକ ବର୍ଷରୁ ୫ବର୍ଷ ମଧ୍ୟରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ମାଧ୍ୟମରେ ୫୦୦୦ କୋଟି ଟଙ୍କାର ବ୍ୟବସାୟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଅର୍ଥାତ୍ ବର୍ଷିକ ୧୦୦୦ କୋଟି ଟଙ୍କାର ବ୍ୟବସାୟ ନିମନ୍ତେ ବିଭାଗ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ।

କୋଭିଡ୍‌ ମହାମାରୀ ଯୋଗୁଁ ଲାଗୁ ହୋଇଥିବା ପ୍ରତିବନ୍ଧକ ସତ୍ତ୍ବେ ୨୦୧୯-୨୦ ଆର୍ଥିକ ବର୍ଷରେ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କ ମାଧ୍ୟମରେ ପ୍ରାୟ ୧୪୧୨ କୋଟି ଟଙ୍କାର ସରକାରୀ ବ୍ୟବସାୟ ହୋଇ ଏ ଦିଗରେ ୧୪୧ ପ୍ରତିଶତ ଲକ୍ଷ ହାସଲ ହୋଇଥିବା ନେଇ ସୂଚନା ରହିଛି । ସେହିପରି ୨୦୨୦-୨୧ ଆର୍ଥିକ ବର୍ଷରେ ବ୍ୟବସାୟର ପରିମାଣ ୨୧୭୨.୦୦ କୋଟି ଟଙ୍କାକୁ ବୃଦ୍ଧି ପାଇ ଲକ୍ଷ୍ୟହାସଲ ୨୧୭ ପ୍ରତିଶତରେ ପହଞ୍ଚିଥିଲା । ୨୦୧୯-୨୦ ଆର୍ଥିକ ବର୍ଷରେ ସରକାରୀ ବ୍ୟବସାୟରେ ୨୦,୪୪୯ ଗୋଷ୍ଠୀ ସାମିଲ୍‌ ହୋଇଥିବା ବେଳେ ୨୦୨୦-୨୧ ବର୍ଷରେ ୬୨,୫୧୪ ଗୋଷ୍ଠୀ ସାମିଲ୍‌ ହୋଇଥିଲେ ବୋଲି ବିଭାଗୀୟ ସଚିବ ଅବଗତ କରାଇଥିଲେ ।

ସୂଚନା ମୁତାବକ ମୁଖ୍ୟତଃ ମହିଳା ଓ ଶିଶୁ ବିକାଶ, ଶକ୍ତି, ମତ୍ସ୍ୟ ଓ ପଶୁ ସଂପଦ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ବିଦ୍ୟାଳୟ ଓ ଗଣ ଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଗୃହ ଓ ନଗର ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ, କୃଷି ଓ କୃଷକ ସଶକ୍ତି କରଣ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ, ହସ୍ତତନ୍ତ, ହସ୍ତଶିଳ୍ପ ଓ ବୟନ ବିଭାଗ ଆଦି ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସରକାରୀ ବ୍ୟବସାୟ ଯୋଗାଇ ଦିଆଯାଇଥିବା ଜଣାପଡ଼ିଥିଲା।

ଏହି ଡିଜିଟାଲ ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

Related Posts