ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆର୍ଯ୍ୟ ସମାଜ ଦ୍ୱାରା ଜାରି କରାଯାଉଥିବା ବିବାହ ପ୍ରମାଣପତ୍ରକୁ ନେଇ ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏହି ରାୟ ମୁତାବକ ଆର୍ଯ୍ୟସମାଜ ଦ୍ୱାରା ଜାରି କରାଯାଉଥିବା ବିବାହ ପ୍ରମାଣପତ୍ରକୁ ବୈଧ ପ୍ରମାଣ ରୂପେ ବ୍ୟବହାର କରିପାରିବେ ନାହିଁ । ଏନେଇ କୋର୍ଟ କହିଛନ୍ତି ଯେ, ବାହାଘରକୁ କୋର୍ଟରେ ପଞ୍ଜିକୃତ କରିବାର ଆବଶ୍ୟକତା ରହିଛି ।

ଏକ ଆବେଦନର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ସୌରଭ ଶ୍ୟାମଶେରୀ କହିଛନ୍ତି ଯେ, ”ଅଦାଲତ ବିଭିନ୍ନ ଆର୍ଯ୍ୟ ସମାଜ କମିଟି ଦ୍ୱାରା ଜାରି କରାଯାଇଥିବା ବିବାହ ପ୍ରମାଣ ପତ୍ରରେ ଭରି ଯାଇଛି, ଯାହାକୁ ଏହି ଅଦାଲତ ତଥା ଅନ୍ୟ ଉଚ୍ଚ ନ୍ୟାୟାଳୟରେ ବିଭିନ୍ନ ପ୍ରକ୍ରିୟା ସମୟରେ ଗମ୍ଭୀରତାର ସହ ବିଚାର କରାଯାଉଛି ।” ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ, “ଉକ୍ତ ଅନୁଷ୍ଠାନ ଦସ୍ତାବିଜର ପ୍ରକୃତତାକୁ ବିଚାର ନକରି ବିବାହ ପ୍ରମାଣପତ୍ର ବାଣ୍ଟିବାରେ ଅପବ୍ୟବହାର କରୁଛି।”

ଆବେଦନକାରୀ ଭୋଲା ସିଂ ଙ୍କ ଓକିଲ ଏକ ଯାଚିକାରେ ଭୋଲା ସିଂ ଓ ତାଙ୍କ ପତ୍ନୀ ଆଇନଗତ ଭାବେ ବିବାହିତ ବୋଲି ପ୍ରମାଣ କରିବାକୁ ଗାଜିଆବାଦର ଆର୍ଯ୍ୟ ସମାଜ ମନ୍ଦିର ଦ୍ୱାରା ଜାରି କରାଯାଇଥିବା ଏକ ପ୍ରମାଣପତ୍ରକୁ କୋର୍ଟରେ ଦାଖଲ କରିଥିଲେ । ଏହାକୁ ଦେଖିବା ପରେ କୋର୍ଟ କହିଛନ୍ତି କି, “ଯେହେତୁ ବିବାହ ପଞ୍ଜିକୃତ ହୋଇ ନାହିଁ ତେଣୁ ଏହି ଆର୍ଯ୍ୟ ସମାଜର ପ୍ରମାଣ ଦ୍ୱାରା ସ୍ପଷ୍ଟ କରାଯାଇ ପାରିବ ନାହିଁ ଯେ ଉଭୟ ବିବାହ କରିଛନ୍ତି।” ଗତ ଅଗଷ୍ଟ ୩୧ ତାରିଖରେ ଅଦାଲତ ଏହି ଆବେଦନକୁ ଖାରଜ କରିଦେଇଥିଲେ ।