କୋଭିଡ଼ ମୁକାବିଲା ନେଇ ମକ୍‌ଡ୍ରିଲ୍‌ ଶେଷ ହୋଇଛି, ହକି ବିଶ୍ୱକପ୍ ବେଳେ ପରିସ୍ଥିତି ଦେଖି ବ୍ୟବସ୍ଥା ହେବ: ସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୨୬/୧୨(ସତ୍ୟପାଠ ବ୍ୟୁରୋ): କୋଭିଡ୍ ମୁକାବିଲା ପାଇଁ ରାଜ୍ୟରେ ରବିବାର ମକଡ୍ରିଲ୍ ଶେଷ ହୋଇଛି । ସମସ୍ତ ସିଡିଏଓଙ୍କ ସହ ଆଲୋଚନା ବି ହୋଇଛି । ଆମ ପାଖରେ ଲୋକ ବଳ କେତେ ଅଛି ସେନେଇ ଆଲୋଚନା ହୋଇଛି। ଯଦି ଅଧିକ ଲୋକ ବଳ ଆବଶ୍ୟକ ପଡେ । ସେଥିପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଏହାସହ ସବୁ ସରକାରୀ ହସ୍ପିଟାଲରେ ଆଇସୋଲେସନ ବେଡ୍ କାର୍ଯ୍ୟକ୍ଷମ କରାଯାଇଛି। ତାହା ଭିତରେ ଆକ୍ସିଜେନ ବ୍ୟବସ୍ଥା ଥିବା ବେଡ୍ ଅଧିକ ରଖାଯାଇଛି ବୋଲି କହିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟେଷ୍ଟିଂ ଓ ଚିକିତ୍ସା ପାଇଁ ଯେଉଁ ଆବଶ୍ୟକୀୟ ଉପକରଣ ଦରକାର ତାହା ମହଜୁଦ ରହିଛି । ରାଜ୍ୟ ସରକାର ପୂର୍ବ ପ୍ରସ୍ତୁତି ଓ ମୁକାବିଲା ନେଇ ଆଜି କିମ୍ବା ଆସନ୍ତାକାଲି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ। ହକି ବିଶ୍ଵକପ ପାଇଁ ଆହୁରି ସମୟ ଅଛି। ସେତେବେଳେ ପରିସ୍ଥିତିକୁ ଦେଖି ବ୍ୟବସ୍ଥା କରାଯିବ। ତେଣୁ ଏବେଠାରୁ ଆକଳନ କରି କିଛି ନିଷ୍ପତି ନେବା ଭୁଲ୍ ହେବ।

ତେବେ ହକି ଖେଳାଳିଙ୍କ ପ୍ରତି ଯେଉଁ ଏସଓପି ଅଛି, ତାହା ହକି ଇଣ୍ଡିଆ ଏବଂ ଭାରତ ସରକାରଙ୍କ ଗାଇଡଲାଇନ ଅନୁସାରେ କାମ ହେବ। ୩ ଦିନ ପୂର୍ବରୁ ନାଜାଲ ଟିକାକୁ ଅନୁମତି ଦିଆଯାଇଛି । ଗୋଟିଏ ନାଜାଲ୍ ଟିକାରେ ଦୁଇଟି ଡୋଜ୍ ଥାଏ। ପ୍ରଥମେ ଘରୋଇ ହସ୍ପିଟାଲରେ ଏହା ଦିଆଯିବ। ରାଜ୍ୟକୁ ନାଜାଲ ଟିକା ଆସିଛି ନା ନାହିଁ ସେନେଇ ଡ୍ରଗ୍ସ କଣ୍ଟ୍ରୋଲ ବୋର୍ଡକୁ ତଥ୍ୟ ମଗାଯାଇଛି ବୋଲି ସେ କହିଛନ୍ତି।

Related Posts