ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା, ସମ୍ଭାବ୍ୟ ପରିସ୍ଥିତି ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ : ଏସଆରସି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି। ବର୍ଷା ପରିମାଣ ବଢିବା ଫଳରେ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ନେଇ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଶ୍ରୀ ଜେନା କହିଛନ୍ତି ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି। ପୂର୍ବରୁ ୨୦୧୯ରେ ମଧ୍ୟ ଏହିପରି ମଧ୍ୟମ ଧରଣର ବନ୍ୟା ଆସିଥିଲା ମାତ୍ର ସେତେବେଳେ ବିଶେଷ କିଛି କ୍ଷତି ହୋଇନଥିବା ସେ କହିଛନ୍ତି। ତଥାପି ଏହି ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଏସଆରସି ସୂଚନା ଦେଇଛନ୍ତି ।

ଏସଆରସି କହିଛନ୍ତି, ଲଘୁଚାପଜନିତ ଲଗାଣ ବର୍ଷା କାରଣରୁ ମହାନଦୀରେ ଏକ ମଧ୍ୟମ ଧରଣର ବନ୍ୟା ଆସିବାକୁ ଯାଉଛି। ବର୍ତ୍ତମାନ ହୀରାକୁଦରୁ ୩୪ଟି ଗେଟ ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି। ଯାହା ଫଳରେ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ତେବେ ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ନଦୀରେ ବନ୍ୟା ଆଶଙ୍କା ନଥିବା ବେଳେ ଜଳକାରେ ଜଳସ୍ତର ବିପଦ ସଂକେତ ଉପରେ ରହିଛି । ତେବେ ଜଳକାରେ ଏହା ସ୍ୱାଭାବିକ ସ୍ଥିତି। ଦକ୍ଷିଣ ଓଡ଼ିଶାର ନଦୀରେ ସେମିତି ବନ୍ୟା ଆଶଙ୍କା ନାହିଁ ।ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖିଲେ ମହାନଦୀ ଅବବାହିକା ମୁଣ୍ଡୁଳୀରେ ୧୦ ଲକ୍ଷରୁ ସାଢେ ୧୦ ଲକ୍ଷରୁ ଅଧିକ କ୍ୟୁସେକ ଜଳ ପ୍ରବାହିତ ହେବ । ଆସନ୍ତାକାଲି ସନ୍ଧ୍ୟା ବେଳକୁ ଏହା ମୁଣ୍ଡୁଳୀ ଅତିକ୍ରମ କରିବ। ଏବେ ଖଇରମାଳ ଠାରେ ୯.୫୬ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ହୀରାକୁଦରୁ ଅଧିକ ପାଣି ଆସୁଛି। ହୀରାକୁଦର ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଛି ଫଳରେ ସରାଡିହି ଠାରେ ୬.୫୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି। ଏବେ ହୀରାକୁଦର ୩୪ଟି ଗେଟ୍ ଖୋଲା ଅଛି, ଯେହେତୁ ଆଗକୁ ବର୍ଷା କମିବାର ସମ୍ଭାବନା ରହିଛି ତେଣୁ ଏବେ ଏହି ୩୪ଟି ଗେଟ୍ ଦେଇ ବନ୍ୟା ଜଳ ପ୍ରବାହିତ ହେବ।

ଆସନ୍ତାକାଲି ମୁଣ୍ଡଳୀଠାରେ ସର୍ବାଧିକ ଜଳ ପ୍ରବାହିତ ହେବ । ୨୦୧୯ରେ ମଧ୍ୟ ସମପରିମାରଣର ବନ୍ୟା ଜଳ ମୁଣ୍ଡୁଳୀ ଅତିକ୍ରମ କରିଥିଲା । କିନ୍ତୁ ଆଶ୍ୱସ୍ତିର କଥା ହେଉଛି ବ୍ରାହ୍ମଣୀ ନଦୀରେ ବର୍ତ୍ତମାନ ବନ୍ୟା ସ୍ଥିତି ନାହିଁ। ଯାହା ବ୍ରାହ୍ମଣୀ ଅବବାହିକାରେ ଥିବା ଅଞ୍ଚଳ ପାଇଁ ଆଶ୍ୱସ୍ତିର ଖବର। ମହାନଦୀର ଅବବାହିକାରେ ଥିବା କେନ୍ଦ୍ରାପଡ଼ା , ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଜିଲ୍ଲାର କିଛି ଅଞ୍ଚଳ ବନ୍ୟା ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ରହିଛି । ଯେଉଁଥିପାଇଁ ୭ଟି ଓଡ୍ରାଫ୍, ୩ଟି ଏନଡିଆରଏଫ ଟିମ୍ ଓ ୧୨ଟି ଅଗ୍ନିଶମ ଟିମ୍ ନିୟୋଜିତ କରାଯିବ। ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁରକୁ ଅଗ୍ନିଶମ ଟିମ୍ ଅଧିକ ଦିଆଯିବ ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର।

Related Posts