ବିଶାଳ ଜନ ସମାବେଶରେ ଏସ ଜୟଶଙ୍କରଙ୍କ ଭିଡ଼ିଓ ଦେଖାଇ ଭାରତର ବୈଦେଶିକ ନୀତିକୁ ପ୍ରଶଂସା କଲେ ଇମ୍ରାନ ଖାନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣିଥରେ ଭାରତକୁ ଏହାର ସ୍ୱାଧୀନ ବୈଦେଶିକ ନୀତି ପାଇଁ ପ୍ରଶଂସା କରିଛନ୍ତି । ସେ ଋଷ ଠାରୁ ତୈଳ କ୍ରୟ କରୁଥିବାରୁ ଭାରତକୁ ପ୍ରଶଂସା କରିଛନ୍ତି। ଲାହୋରରେ ଏକ ବିଶାଳ ଜନ ସମାବେଶକୁ ସମ୍ବୋଧିତ କରି ଇମ୍ରାନ ଖାନ ସ୍ଲୋଭାକିଆରେ ଅନୁଷ୍ଠିତ ବ୍ରାଟିସଲାଭା ଫୋରମରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଏକ ଭିଡିଓ କ୍ଲିପ ବଜାଇ ଋଷ ଠାରୁ ଶସ୍ତା ତେଲ କିଣିବା ଉପରେ ଆମେରିକାର ଚାପକୁ ଦୃଢ଼ ଭାବରେ ସାମ୍ନା କରିଥିବାରୁ ତାଙ୍କୁ ପ୍ରଶଂସା କରିଥିଲେ।

ଏହି ରାଲି ରେ ଇମ୍ରାନ କହିଛନ୍ତି ଯେ, “ପାକିସ୍ତାନ ସହିତ ଏକ ସମୟରେ ଭାରତ ସ୍ଵାଧୀନତା ହାସଲ କରିଛି, ବର୍ତ୍ତମାନ ଯଦି ନୂଆଦିଲ୍ଲୀ ନିଜ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଆନ୍ତର୍ଜାତୀୟ ଫୋରମରେ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିପାରୁଛି ତେବେ ଆମେ କାହିଁକି ସମାନ ଆଭିମୁଖ୍ୟ ନେଇ ପାରୁନାହାନ୍ତି।” ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ସରକାରକୁ ଟାର୍ଗେଟ କରି ସେ ଏଭଳି କହିଛନ୍ତି।

ସୂଚନା ଅନୁସାରେ, ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାପରେ ଋଷ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇବାକୁ ଆମେରିକା ଋଷ ଠାରୁ ତେଲ କିଣିବାକୁ ଭାରତକୁ ବାରଣ କରିଥିଲା। ହେଲେ ସ୍ଲୋଭାକିଆରେ ଅନୁଷ୍ଠିତ ବ୍ରାଟିସଲାଭା ଫୋରମରେ ଏହାର ଦୃଢ଼ ଜବାବ୍ ଦେଇଥିଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଜୟଶଙ୍କର ଆମେରିକାକୁ ଜବାବ୍ ଦେଇ କହିଥିଲେ ଯେ, “ଆପଣ କିଏ ଆମକୁ ମନା କରିବାକୁ, ୟୁରୋପ ଋଷ ଠାରୁ ତେଲ କ୍ରୟ କରୁଛି। ଆମେ ମଧ୍ୟ ଆମ ଲୋକଙ୍କ ଆବଶ୍ୟକତା ପାଇଁ ଋଷ ଠାରୁ ତୈଳ କିଣିବୁ।” ତେବେ ଏହାର ଏକ ଭିଡ଼ିଓ ଲାହୋରର ଏକ ରାଲି ରେ ଇମ୍ରାନ ଦେଖାଇ ଭାରତର ବୈଦେଶିକ ନୀତିକୁ ପ୍ରଶଂସା କରିବା ସହିତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସରକାରକୁ ଟାର୍ଗେଟ କରିଛନ୍ତି।

Related Posts