ମୋଦିଜୀ ମୋତେ କହିବାକୁ ଦେଲେ ନାହିଁ, ସିଏମ୍ – ଡିଏମ୍ ଙ୍କ ମିଟିଂ ପରେ ମମତା ଆଣିଲେ ଗମ୍ଭୀର ଆରୋପ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଦିନକୁ ଦିନ ତିକ୍ତତା ବୃଦ୍ଧି ପାଉଛି। ଏହାର ଏକ ତାଜା ଉଦାହରଣ ଆଜି ଦେଖିବାକୁ ମିଳିଛି। ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପ୍ରଧାନମନ୍ତ୍ରୀ ଆଜି ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ୫୪ ଜିଲ୍ଲା ଅଧିକାରୀଙ୍କ ସହ କଭୋଡ୍ ସ୍ଥିତି ନେଇ ଆଲୋଚନା କରିଛନ୍ତି। ଏହି ଭର୍ଚୁଆଲ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ମମତା ବାନାର୍ଜୀଙ୍କୁ ବୈଠକରେ କହିବାକୁ ଅନୁମତି ଦିଆଯାଇ ନଥିବା ସେ ଅଭିଯୋଗ କରିଛନ୍ତି। ମମତା ବାନାର୍ଜୀ କହିଛନ୍ତି ଯେ କୋଭିଡ୍ ପରିଚାଳନା ଗତ ସମସ୍ୟାକୁ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବା ପାଇଁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ବୈଠକକୁ ଆସିଥିଲେ। ସେ କହିଛନ୍ତି ଯେ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମାନଙ୍କୁ ପିତୂଳା ଭଳି ବସାଇ ଦିଆଯାଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ପ୍ରଥମେ କିଛି ଭାଷଣ ଦେଲେ, ଏହା ପରେ ବିଜେପି ଶାସିତ ରାଜ୍ୟଗୁଡିକର କିଛି ଡିଏମ୍ ମାନଙ୍କୁ କହିବାର ସୁଯୋଗ ଦିଆଯାଇଥିଲା। ଆଉ ଏହା ପରେ ମିଟିଙ୍ଗ୍ ଶେଷ ହୋଇଯାଇଥିଲା। ମମତା ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି, ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ମାନଙ୍କ ସହ କଥା ହେବାକୁ ଏତେ ଡର କାହିଁକି ଲାଗୁଛି। ସେ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଏଭଳି ଆଚରଣ ଦ୍ୱାରା ମୁଖ୍ୟମନ୍ତ୍ରୀ ମାନେ ଅପମାନିତ ହେଉଛନ୍ତି। ପଶ୍ଚିମବଙ୍ଗର ସିଏମ୍ ଆହୁରି ମଧ୍ୟ କହିଛନ୍ତି ଯେ , ଟୀକାର ଉପଲବ୍ଧତା, ହସ୍ପିଟାଲରେ ବେଡ୍ ଅଛି କି ନାହିଁ ,ବ୍ଲାକ୍ ଫଙ୍ଗସ୍ କୁ ନେଇ ରାଜ୍ୟ ମାନଙ୍କର ସ୍ଥିତି କଣ ରହିଛି ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଥରୁଟିଏ ବି କିଛି ପଚାରି ନାହାଁନ୍ତି। ତାଙ୍କ ସରକାର ଆଜି ୧୦ ବର୍ଷ ପୂରଣ କରୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଏଭଳି ବ୍ୟବହାର ତାଙ୍କୁ ଅପମାନିତ କରିଛି। ମମତା ବାନାର୍ଜୀ କହିଛନ୍ତି ଯେ, ” ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ତେବେ ଏତେ ସଂଖ୍ୟକ ମୃତ୍ୟୁ କାହିଁକି ହେଉଛି ? ” ବାନାର୍ଜୀ ଆରୋପ ଲଗାଇଥିଲେ ଯେ କରୋନା ମୁକାବିଲା ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅବହେଳା କରାଯାଇଛି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ବେଙ୍ଗଲକୁ ଆସି
କରୋନା ସଂକ୍ରମଣ ବିସ୍ତାର କରାଇଛନ୍ତି। ବଙ୍ଗଳାରେ ଏପର୍ଯ୍ୟନ୍ତ ୧୦୫ ବାଟାଲିୟନ ଅଛନ୍ତି ଏବଂ ଆମେ ସରକାରୀ ଏବଂ ଘରୋଇ ଡାକ୍ତରଖାନାଗୁଡ଼ିକରେ ସମସ୍ତଙ୍କୁ ଚିକିତ୍ସା ଦେଉଛୁ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Related Posts