୮ ବର୍ଷରେ ବିଜ୍ଞାପନ ବାବଦକୁ ମୋଦି ସରକାର ଖର୍ଚ୍ଚ କରିଛନ୍ତି ୬,୫୦୦ କୋଟି; ଲୋକସଭାରେ ତଥ୍ୟ ରଖିଲେ ଅନୁରାଗ ଠାକୁର

ଭୁବନେଶ୍ଵର,୧୪/୧୨ (ସତ୍ୟପାଠ ବ୍ୟୁରୋ): ୨୦୧୪ରେ ସରକାର ଗଠନ କରିବା ପରଠାରୁ ମୋଦି ସରକାର ବର୍ତ୍ତମାନ ସୁଦ୍ଧା ବିଜ୍ଞାପନ ବାବଦକୁ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ? ମଙ୍ଗଳବାର ଏନେଇ ଲୋକସଭାରେ ତଥ୍ୟ ରଖିଛନ୍ତି କେନ୍ଦ୍ର ସରକାର । ୨୦୧୪ ମସିହାରେ କଂଗ୍ରେସକୁ ହଟାଇ ସରକାର ଗଠନ କରିଥିଲା ଭାରତୀୟ ଜନତା ପାର୍ଟି । ତେବେ ଗତ ୮ ବର୍ଷ ହେଲା ଦଳ ସରକାରରେ ରହିଛି ।ତେବେ ଲୋକସଭାର ଶୀତକାଳୀନ ଅଧିବେଶନ ଜାରି ରହିଥିବା ବେଳେ ବିଜ୍ଞାପନ ବାବଦକୁ ଗତ ୮ ବର୍ଷ ମଧ୍ୟରେ କେନ୍ଦ୍ର ସରକାର କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ତାହାର ତଥ୍ୟ ରଖିଛନ୍ତି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ।

ଗୃହରେ ଅନୁରାଗ ଠାକୁର କହିଛନ୍ତି ଯେ, ବିଜେପି ସରକାରକୁ ଆସିବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଇଲେକଟ୍ରୋନିକ୍ସ ମିଡିଆରେ ବିଜ୍ଞାପନ ବାବଦକୁ ସରକାର ୩୨୬୦.୭୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ସେହିଭଳି ପ୍ରିଣ୍ଟ ମିଡିଆ ବିଜ୍ଞାପନ ବାବଦକୁ ମୋଦି ସରକାର ଖର୍ଚ୍ଚ କରିଛନ୍ତି ୩୨୩୦.୭୭ କୋଟି ଟଙ୍କା। ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସାଂସଦ ମୁନିୟନ ସେଲ୍ବରାଜଙ୍କ ଏକ ପ୍ରଶ୍ନର ଜବାବରେ, ପ୍ରିଣ୍ଟ ଓ ଇଲେକଟ୍ରୋନିକ୍ସ ମିଡିଆ ବିଜ୍ଞାପନ ବାବଦକୁ ଖର୍ଚ୍ଚ ସମ୍ବନ୍ଧରେ ସୂଚନା ଦେଇଛନ୍ତି ଅନୁରାଗ ଠାକୁର ।

କ୍ଷମତାକୁ ଅସିବା ପରଠାରୁ ବର୍ତ୍ତମାନ ଯାଏଁ ପ୍ରତି ବର୍ଷର ହିସାବ ରଖିଛନ୍ତି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର । ୨୦୧୪-୧୫ ମସିହାରେ ପ୍ରିଣ୍ଟ ମିଡିଆରେ ବିଜ୍ଞାପନ ବାବଦକୁ ୪୨୪.୧୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଇଲେକ୍ଟ୍ରୋନିକ୍ସ ମିଡିଆରେ ଖର୍ଚ୍ଚ ହୋଇଛି ୪୭୩.୬୭ କୋଟି ଟଙ୍କା । ସେହିଭଳି ୨୦୧୫-୧୬ରେ ପ୍ରିଣ୍ଟ ମିଡିଆରେ ୫୦୮.୨୨ କୋଟି ଟଙ୍କା ଓ ବୈଦ୍ୟୁତିକ ଗଣମାଧ୍ୟମ ବା ଇଲେକ୍ଟ୍ରୋନିକ୍ସ ମିଡିଆରେ ୫୩୧.୬୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ୨୦୧୬-୧୭ରେ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ସ ମିଡିଆରେ ଯଥାକ୍ରମେ ୪୬୮.୫୩ କୋଟି ଓ ୬୦୯.୬୦ କୋଟି, ୨୦୧୭-୧୮ରେ ୬୩୬.୦୯ କୋଟି, ୫୧୪.୨୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।

ତେବେ ସରକାରୀ ତଥ୍ୟ ଅନୁଯାୟୀ ୨୦୧୮-୧୯ରେ ପ୍ରିଣ୍ଟ ମିଡିଆରେ ୪୨୯.୫୫ କୋଟି ଓ ଇଲେକ୍ଟ୍ରୋନିକ୍ସ ମିଡିଆରେ ୫୧୪.୨୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ମୋଦି ସରକାର । ସେହିଭଳି ୨୦୧୦୯-୨୦ରେ ୨୯୫.୦୫ କୋଟି ଓ ୩୧୭.୧୧ କୋଟି, ବର୍ଷ ୨୦୨୦-୨୧ରେ ୧୯୭.୪୯ କୋଟି ଓ ୧୬୭.୯୮ କୋଟି ଏବଂ ୨୦୨୧-୨୨ ମସିହାରେ ଛାପା ଗଣମାଧ୍ୟମ (ପ୍ରିଣ୍ଟ ମିଡିଆ)ରେ ବିଜ୍ଞାପନ ବାବଦକୁ ୧୭୯.୦୪ କୋଟି ଟଙ୍କା ଏବଂ ବୈଦ୍ୟୁତିକ ଗଣମାଧ୍ୟମରେ ବିଜ୍ଞପାନ ବାବଦକୁ ମୋଦି ସରକାର ଖର୍ଚ୍ଚ କରିଛନ୍ତି ୧୦୧.୨୪ କୋଟି ଟଙ୍କା । ଏହା ସହିତ ବର୍ଷ ୨୦୨୨-୨୩ରେ ଡିସେମ୍ବର ୭ ତାରିଖ ଯାଏଁ ପ୍ରିଣ୍ଟ ମିଡିଆରେ ବିଜ୍ଞାପନ ବାବଦକୁ ୯୧.୯୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ବୈଦ୍ୟୁତିକ ଗଣମାଧ୍ୟମରେ ୭୬.୮୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ।

Related Posts