ଭୁବନେଶ୍ଵର,୧୪/୧୨ (ସତ୍ୟପାଠ ବ୍ୟୁରୋ): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ମିଳିଲାନି ଅନ୍ତରୀଣ ସୁରକ୍ଷା। ଶ୍ରଦ୍ଧାଞ୍ଜଳିଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କଲେ ହାଇକୋର୍ଟ। ଏହାସହିତ ଅର୍ଚ୍ଚନା ନାଗ ମାମଲାରେ ଇଡିକୁ ତଦନ୍ତରେ ସହଯୋଗ କରିବାକୁ ଶ୍ରଦ୍ଧାଞ୍ଜଳିଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ତଦନ୍ତରେ ଶ୍ରଦ୍ଧାଞ୍ଜଳି ସହଯୋଗ କରୁନଥିବା ଇଡି ପକ୍ଷରୁ କୁହାଯାଇଥିଲା। ତେବେ ଜାନୁଆରୀ ୧୭ ତାରିଖର ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଶ୍ରଦ୍ଧାଞ୍ଜଳି ହାଇକୋର୍ଟରେ ଅନ୍ତରୀଣ ସୁରକ୍ଷା ପାଇଁ ଆବେଦନ କରିଥିଲେ। ଆଜି ଏହି ମାମଲାର ଶୁଣାଣି ଥିଲା।
ସୂଚନାଯୋଗ୍ୟ ଯେ, ଅର୍ଚ୍ଚନା ନାଗ ମାମଲାରେ ଇଡିରେ ୨ ଥର ହାଜର ହୋଇସାରିଛନ୍ତି ଶ୍ରଦ୍ଧାଞ୍ଜଳି। ଇଡି ପୁଣି ତାଙ୍କୁ ହାଜର ହେବା ପାଇଁ ସମନ କରିଥିଲେ ମଧ୍ୟ ସେ ହାଜର ହେଉନାହାନ୍ତି କି ତଦନ୍ତରେ ସହଯୋଗ କରିବାକୁ ଚାହୁଁନାହାନ୍ତି ବୋଲି ଇଡି ପକ୍ଷରୁ କୁହାଯାଇଥିଲା।
ଅନ୍ୟପଟେ ଆଜିଠୁ ଅର୍ଚ୍ଚନା ନାଗଙ୍କୁ ଦ୍ଵିତୀୟ ଥର ପାଇଁ ୬ ଦିନିଆ ରିମାଣ୍ଡରେ ନେବ ଇଡି। ସେହିପରି ତାଙ୍କ ସ୍ୱାମୀ ଜଗବନ୍ଧୁ ୯ ଦିନ ରିମାଣ୍ଡରେ ଯିବେ। ଏହି ଦମ୍ପତିଙ୍କ ଆର୍ଥିକ ସାମ୍ରାଜ୍ୟର ଗୁମର ଖୋଲିବାକୁ ପ୍ରଥମେ ଉଭୟଙ୍କୁ ପୃଥକ ଭାବେ ଜେରା କରିବ ଇଡି। ପରେ ଦୁହିଁଙ୍କୁ ମୁହାଁମୁହିଁ ଜେରା କରାଯିବ।
କିଭଳି ବଡ଼ବଡ଼ିଆଙ୍କୁ ନିଜ ଜାଲରେ ଫସାଉଥିଲେ? କାହାଠାରୁ କେତେ ଟଙ୍କା ପାଇଛନ୍ତି? ଖଗେଶ୍ୱର ସହ ମିଶି କିଭଳି ବ୍ଲାକମେଲ କରୁଥିଲେ? ଏ ନେଇ ଜଗବନ୍ଧୁ ଓ ଅର୍ଚ୍ଚନାଙ୍କୁ ପଚାରିବା ଲାଗି ଅନେକ ପ୍ରଶ୍ନ ରଖିଛି ଇଡି। ଏହି ସମୟରେ ଅକ୍ଷୟ ପରିଜା, ପ୍ରମୋଦ ସ୍ୱାଇଁ, ଖଗେଶ୍ୱର ଓ ଶ୍ରଦ୍ଧାଞ୍ଜଳିଙ୍କୁ ଡାକି ମଧ୍ୟ ମୁହାଁମୁହିଁ ଜେରା କରିବାକୁ ଇଡିର ଯୋଜନା ରହିଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଥମ ପର୍ଯ୍ୟାୟ ଭଳି ଅର୍ଚ୍ଚନାଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଜେରା ବେଳେ ତାଙ୍କ ଓକିଲ ଉପସ୍ଥିତ ରହିବେ। ଜଗବନ୍ଧୁଙ୍କୁ ଜେରା ବେଳେ ବି ତାଙ୍କ ଓକିଲ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।
