ଚଳିତ ଆର୍ଥିକ ବର୍ଷରେ ୫ ରାଷ୍ଟ୍ରାୟତ କମ୍ପାନୀକୁ ବିକ୍ରି କରିବେ ମୋଦି ସରକାର : ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଚଳିତ ବର୍ଷ ୫ଟି ରାଷ୍ଟ୍ରାୟତ କମ୍ପାନୀକୁ ବିକ୍ରି କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଭାରତୀୟ ଉଦ୍ୟୋଗ ମହାସଂଘ (ସିଆଇଆଇ)ର ବାର୍ଷିକ ଅଧିବେଶନକୁ ସମ୍ବୋଧିତ କରିବା ବେଳେ ଅର୍ଥମନ୍ତ୍ରୀ କହିଛନ୍ତି, ” ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରସ୍ତୁତ ।”

ସୀତାରମଣ କହିଛନ୍ତି ଯେ କରୋନା ମହାମାରୀ ପାଇଁ ଲଗାଯାଇଥିବା ଲକଡାଉନ କୋହଳ ହେବା ପରେ ଆର୍ଥିକ କ୍ଷେତ୍ରରେ ସୁଧାର ଆସୁିଛି। ସେ କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ (ଏଫଡିଆଇ) ରେ ୩୭ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଏଥି ସହିତ ଜୁଲାଇରେ ବୈଦେଶିକ ମୁଦ୍ରା ଭଣ୍ଡାର ୬୨୦ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ସରକାର ସଂସ୍କାର ପାଇଁ ପ୍ରତିଶ୍ରୁତିବଦ୍ଧ। ମହାମାରୀ ସମୟରେ ମଧ୍ୟ ସରକାର ସଂସ୍କାର ଆଣିଥିବା ଦାବି କରିଥିଲେ।

ଏହି ସରକାରି କମ୍ପାନୀକୁ ବିକିବେ କେନ୍ଦ୍ର ସରକାର

ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାର ଏହି ଆର୍ଥିକ ବର୍ଷରେ ୧ ଲକ୍ଷ ୭୫ ହଜାର କୋଟିର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟକୁ ହାସଲ କରିବା ପାଇଁ ୫ ରାଷ୍ଟ୍ରାୟତ କମ୍ପାନୀକୁ ବିକ୍ରି କରିବେ । ଚଳିତ ବର୍ଷ ବିକ୍ରି ହେବାକୁ ଥିବା କମ୍ପାନୀ ମଧ୍ୟରେ ଏୟାର ଇଣ୍ଡିଆ,ଭାରତ ପେଟ୍ରୋଲିୟମ,ବିଇଏମଏଲ, ଶିପିଂ କର୍ପୋରେସନ୍ ଓ କଣ୍ଟେନର କର୍ପୋରେସନ ରହିଛନ୍ତି ।

କରୋନା କାଳରେ ଅର୍ଥନୀତିକୁ ସୁଧାରିବା ପାଇଁ ସରକାର ଆରବିଆଇ ସହିତ ମିଶି କାମ କରୁଛନ୍ତି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ସୀତାରମଣ କହିଛନ୍ତି ଯେ ଭାରତୀୟ ଅର୍ଥନୀତି ଏପର୍ଯ୍ୟନ୍ତ ସେହି ପର୍ଯ୍ୟାୟରେ ପହଞ୍ଚି ନାହିଁ ଯେ କେନ୍ଦ୍ରୀୟ ବ୍ୟାଙ୍କ ଲିକ୍ୟୁଡିଟି ପ୍ରତ୍ୟାହାର କରିବା ଉଚିତ୍। ସେ କହିଛନ୍ତି ଯେ ଏସିଆର ତୃତୀୟ ବୃହତ୍ତମ ଅର୍ଥନୀତି ବର୍ତ୍ତମାନ କରୋନାଭାଇରସର ଦୁଇଟି ବଡ଼ ତରଙ୍ଗର ପ୍ରଭାବରୁ ଧୀରେ ଧୀରେ ସୁସ୍ଥ ହେଉଛି।

Related Posts