ଜୁଲାଇରେ ଖୁଚୁରା ମୁଦ୍ରାସ୍ପୀତି ହାର ୫.୫୯ ପ୍ରତିଶତକୁ ହ୍ରାସ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ କାଳରେ ଦରବୃଦ୍ଧି ଯୋଗୁଁ ଛଟପଟ ହେଉଥିବା ଲୋକଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। ଜୁନରେ ଖୁଚୁରା ମହଙ୍ଗା ଦର ୬.୩୦ ପ୍ରତିଶତ ଥିବା ବେଳେ ଜୁଲାଇରେ ଏହା ହ୍ରାସ ପାଇ ୫.୫୯ ପ୍ରତିଶତ ହୋଇଛି। ଯାହାକି ଗତ ତିନି ମାସ ମଧ୍ୟରେ ସର୍ବନିମ୍ନ। ଆରବିଆଇ ସବୁବେଳେ ଖୁଚୁରା ମହଙ୍ଗା ଦରକୁ ୫ ପ୍ରତିଶତ ଭିତରେ ରଖିବାକୁ ଚେଷ୍ଟା କରୁଛି। କିନ୍ତୁ ମେ ଏବଂ ଜୁନ ମାସରେ ମହଙ୍ଗା ଦର ୬ ପ୍ରତିଶତ ଟପି ଯାଇଥିଲା।

କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଯେ ଖାଦ୍ୟ ମୂଲ୍ୟ ସୂଚକାଙ୍କ ୩.୯୬ ପ୍ରତିଶତକୁ ହ୍ରାସ ପାଇଛି ଯାହାକି ଜୁନ ମାସରେ ୫.୧୫ ପ୍ରତିଶତ ଥିଲା। ତେବେ ଅଣ୍ଡା, ତେଲ ଏବଂ ଚର୍ବି ଭଳି ପ୍ରୋଟିନ୍ ସାମଗ୍ରୀ ପାଇଁ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି। ଇନ୍ଧନ ମୁଦ୍ରାସ୍ଫୀତି ୧୨.୩୮% ଥିବାବେଳେ ଜୁଲାଇ ମାସରେ ସେବା ମୁଦ୍ରାସ୍ଫୀତି ୬.୭୧% ବୃଦ୍ଧି ପାଇଛି । ମହାମାରୀରୁ ଅର୍ଥନୀତିକୁ ମୁକୁଳାଇବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଶୁକ୍ରବାର ସପ୍ତମ ଥର ପାଇଁ ସୁଧ ହାର ଅପରିବର୍ତ୍ତିତ ରଖିଛି, ମୁଦ୍ରାସ୍ଫୀତି ବୃଦ୍ଧି ମଧ୍ୟରେ ସହଜ ଅର୍ଥ ନୀତି ବଜାୟ ରଖିବା ଉପରେ ମୁଦ୍ରା ନୀତି ପ୍ୟାନେଲ ସଦସ୍ୟଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି। ଆରବିଆଇ କରିଥିବା Monetary Policy Committee (ଏମପିସି) ବା ମୁଦ୍ରା ନୀତି କମିଟି ବୈଠକରେ ମହଙ୍ଗା ଦର କିଭଳି ନିୟନ୍ତ୍ରଣରେ ରହିବ ମୁଖ୍ୟ ପ୍ରସଙ୍ଗ ରହିଥିଲା।

ଏହି ବୈଠକରେ ଚଳିତ ଆର୍ଥିକ ବର୍ଷ (୨୦୨୧-୨୨)ରେ କନଜ୍ୟୁମର ପ୍ରାଇସ ଇନଡେକ୍ସ (ସିପିଆଇ) ମୁଦ୍ରାସ୍ଫୀତି ୫.୭ ପ୍ରତିଶତ ରହିବ ବୋଲି ଆକଳନ କରିଥିଲା ଆରବିଆଇ। ଦ୍ୱିତୀୟ ତ୍ରୟମାସରେ ୫.୯ ପ୍ରତିଶତ, ତୃତୀୟ ତ୍ରୟ ମାସରେ ୫.୮ ପ୍ରତିଶତ ଏବଂ ଚତୁର୍ଥ ତ୍ରୟମାସରେ ଏହା ୫.୮ ପ୍ରତିଶତ ରହିବ ବୋଲି ଆରବିଆଇ ଆକଳନ କରିଥିଲା। ସେହିପରି ୨୦୨୨-୨୩ର ପ୍ରଥମ ତିନି ମାସ ଅର୍ଥାତ୍ ଚଳିତ ଆର୍ଥିକ ବର୍ଷର ଶେଷ ତ୍ରୟମାସରେ ମୁଦ୍ରାସ୍ପୀତି ୫.୧ ରହିବ ବୋଲି ଆରବିଆଇ ଆକଳନ କରିଛି। ମୁଦ୍ରାସ୍ଫୀତିର ବୃଦ୍ଧି ସତ୍ତ୍ବେ କେନ୍ଦ୍ରୀୟ ବ୍ୟାଙ୍କ ପାଇଁ ଅଭିବୃଦ୍ଧି ପ୍ରାଥମିକତା ରହିଛି। ମହାମାରୀର ତୃତୀୟ ତରଙ୍ଗର ଭୟ ମଧ୍ୟରେ ଆରବିଆଇ ଏହି ଆର୍ଥିକ ଅଭିବୃଦ୍ଧିର ପୂର୍ବାନୁମାନକୁ ୯.୫% ରଖିଛି।

Related Posts