ମୋଦି ମୋଗଲ ସମ୍ରାଟ ଆକବରଙ୍କ ଭଳି ମହାନ: ମନ୍ତ୍ରୀ ମହେନ୍ଦ୍ର ସିଂହ ସିସୋଦିୟା

ଭୋପାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୋଗଲ ସମ୍ରାଟ ଆକବରଙ୍କ ସହ ତୁଳନା କରିଛନ୍ତି ମଧ୍ୟପ୍ରଦେଶର କ୍ଷମତାସୀନ ବିଜେପି ସରକାରରେ ମନ୍ତ୍ରୀ ଥିବା ମହେନ୍ଦ୍ର ସିଂହ ସିସୋଦିୟା | ପ୍ରଧାନମନ୍ତ୍ରୀ ମୋଦି ଆକବରଙ୍କ ଭଳି ମହାନ | ଏଥିସହ ସେ କେନ୍ଦ୍ର ବେସମାରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମଧ୍ୟପ୍ରଦେଶର ସର୍ବଶ୍ରେଷ୍ଠ ହୀରାର ମାନ୍ୟତା ଦେଇଛନ୍ତି।

ଗୁନାରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ସିନ୍ଧିଆ ଯୋଗ ଦେଇଥିଲେ। ତାଙ୍କ ପାଇଁ ଷ୍ଟେଜ ଉପରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ବୋଧନ କରି ମନ୍ତ୍ରୀ ମହେନ୍ଦ୍ର କହିଥିଲେ ଯେ ଆକବରଙ୍କ ପାଖରେ ହୀର ଚିହ୍ନିବାର କଳା ଥିଲା। ତାଙ୍କ ପାଖରେ ୯ଟି ହୀରା ଥିବାରୁ ସେ ମହାନ ହୋଇପାରିଥିଲେ। ସେ ଉପଯୁକ୍ତ ଲୋକଙ୍କୁ ଚିହ୍ନି ପାରୁଥିଲେ।

ଏବେ ଆକବରଙ୍କ ଭଳି ଦକ୍ଷତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ରହିଛି। ଏହି ଦକ୍ଷତା ବଳରେ ସେ ମଧ୍ୟପ୍ରଦେଶର ସର୍ବଶ୍ରେଷ୍ଠ ହୀରା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଦେଶର ବିମାନ ଚଳାଚଳ ମନ୍ତ୍ରୀ କରିଛନ୍ତି। ସିନ୍ଧିଆ ମନ୍ତ୍ରଣାଳୟ ସମ୍ଭାଳିବା ପୂର୍ବରୁ ଏହା ଅତ୍ୟନ୍ତ ଦୁର୍ବଳ ସ୍ତରରେ ଥିଲା। କିନ୍ତୁ ସେ ମନ୍ତ୍ରୀ ହେବା ପରେ ମନ୍ତ୍ରଣାଳୟ ଏବେ ଉପରକୁ ଉଠିବା ଆରମ୍ଭ କରିଛି ବୋଲି ସେ ଦାବି କରିଛନ୍ତି।

ଏଥିସହ ସେ ସିନ୍ଧିଆଙ୍କୁ ମହାରାଜ କହି ପ୍ରଶଂସାରେ ପୋତି ପକାଇଛନ୍ତି। ଜ୍ୟୋତିଦିତ୍ୟ ସିନ୍ଧିଆ କହିଛନ୍ତି, “ଲୋକଙ୍କ ସେବା କରିବାକୁ ମୁଁ ବିଜେପିରେ ମିଶିଛି। ଯେଉଁ ପର୍ଯ୍ୟନ୍ତ ସରକାରଙ୍କ ଜନକଲ୍ୟାଣ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରିନି ସେ ପର୍ଯ୍ୟନ୍ତ ମୁଁ କାମ ବନ୍ଦ କରିବି ନାହିଁ। ଯେଉଁ ସରକାର ଲୋକଙ୍କ କଲ୍ୟାଣ ପରିବର୍ତ୍ତେ ନିଜର କଲ୍ୟାଣ କରିବାକୁ ଚେଷ୍ଟା କରୁଥିଲା, ସେଭଳି ସରକାରକୁ ବଦଳାଇବା ପାଇଁ ୨୫ ଜଣ ବିଧାୟକ ଓ ୬ ଜଣ ମନ୍ତ୍ରୀ ବଳିଦାନ ଦେଇଛନ୍ତି।”

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ବିଧାନସଭାରେ କଂଗ୍ରେସ ବାଜିମାତ କରି ସରକାର ଗଠନ କରିଥିଲା। ହେଲେ ସିନ୍ଧିଆଙ୍କ ନେତୃତ୍ୱରେ ୨୫ରୁ ଅଧିକ କଂଗ୍ରେସ ବିଧାୟକ କମଲନାଥ ସରକାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ଫଳରେ କଂଗ୍ରେସ ସରକାର ଅଧାରୁ ଭାଙ୍ଗି ଯାଇଥିଲା। ଏହାପରେ ଶିବରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପରବର୍ତ୍ତୀ ଅବସ୍ଥାରେ କଂଗ୍ରେସରୁ ଆସିଥିବା ସମସ୍ତ ବିଧାୟକ ବିଜେପିରେ ମିଶିଥିଲେ |

Related Posts