ମୋଦି-ରାହୁଲ ଗ୍ରାଉଣ୍ଡରେ : ‘ନବୀନ ସାଟେଲାଇଟ୍‌ରେ’

2019 ନିର୍ବାଚନ ପ୍ରଚାର ସମୟରେ ମୋଦି ଓ ରାହୁଲ ଗ୍ରାଉଣ୍ଡ ୱାର୍‌କୁ ଟକ୍କର ଦେବ ନବୀନଙ୍କ ସାଟେଲାଇଟ୍‌ ୱାର୍‌ । ବିରୋଧୀଙ୍କୁ ସାମ୍ନା କରିବାକୁ ବିଜେଡି ପ୍ରସ୍ତୁତ କରିଛି ହାଇଟେକ୍‌ ଯୁଦ୍ଧ କୌଶଳ ।

2019ର ମହାସଂଗ୍ରାମରେ ବିଜୁ ଜନତା ଦଳ ପାଇଁ ବିରୋଧୀ ଓ ବିଜେପି ଯେତିକି ସମସ୍ୟା ନୁହଁନ୍ତି ତା’ଠାରୁ ଅଧିକ ବଡ଼ ଟେନ୍‌ସନ୍‌ ହେଉଛନ୍ତି ନିଜ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଥା ହେଲା ବଡ଼ ଲଢ଼େଇ ପାଇଁ ବିଗୁଲ୍‌ ବାଜି ସାରିଲାଣି । ଆଉ 15 ଦିନ ଭିତରେ ଆରମ୍ଭ ହୋଇଯିବ ଜୋରଦାର କ୍ୟାମ୍ପେନ୍‌ । ବିଜେପି ଓ କଂଗ୍ରେସ କ୍ୟାମ୍ପେନ୍‌ ମୁଡ୍‌କୁ ଆସି ସାରିଲେଣି । ଆରମ୍ଭ କରିସାରିଲେଣି ବଡ଼ ଧରଣର ଅଭିଯାନ ।

ମାସକ ଭିତରେ ତିନି ତିନି ଥର ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ । ପୁଣି ଏହି ମାସ ଶେଷ ବେଳକୁ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଦୁଇ ଜାତୀୟ ଦଳ ପ୍ରଥମ ଥର ପାଇଁ ଓଡ଼ିଶାରେ ଅଧିକ ଶକ୍ତି ଲଗାଇଥିବାବେଳେ ଏ ସବୁ ଭିତରେ କେମିତି ଏମାନଙ୍କୁ ଟକ୍କର ଦିଆଯିବ ତାହା ବିଜେଡି ପାଇଁ ପାଲଟିଛି ମୁଣ୍ଡ ବିନ୍ଧା । ଏହାର କାରଣ ହେଉଛି ବିଜେଡିର ଜଣେମାତ୍ର ଷ୍ଟାର କ୍ୟାମ୍ପେନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସ୍ବାସ୍ଥ୍ୟ ଅବସ୍ଥା ।

ବୟସାଧିକ  ସହ ଦୀର୍ଘ ଦିନ ହେଲା ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥାବସ୍ଥା ଠିକ୍‌ ନାହିଁ । ସେ ଚାଲିବାରେ କଷ୍ଟ ଅନୁଭବ କରୁଛନ୍ତି । ଏକାବେଳକେ କେଉଁଠି ବି ଅଧା ଘଣ୍ଟାରୁ ଅଧିକ ସମୟ ଧରି ଛିଡ଼ା ହୋଇପାରୁନାହାନ୍ତି ନବୀନ । ଏମିତି ସ୍ଥିତିରେ ଲୋକସଭା ନିର୍ବାଚନ ପ୍ରଚାର ମଙ୍ଗ ବିଜେଡି ସୁପ୍ରିମୋ କେମିତି ସମ୍ଭାଳିବେ ତାକୁ ନେଇ ବଢ଼ିଛି ଦଳର ଚିନ୍ତା । କାରଣ ନିର୍ବାଚନ ଏପ୍ରିଲ୍‌-ମେ ମାସରେ ହେବାକୁ ଥିବାବେଳେ ଓଡ଼ିଶାରେ ଫେବ୍ରୁଆରୀ ଶେଷ ବେଳକୁ ଆରମ୍ଭ ହୋଇଯିବ ଗରମ ।

ଯେତେବେଳେ ଇଲେକ୍ସନ୍‌ କ୍ୟାମ୍ପେନ୍‌ ଚରମରେ ଥିବ, ସେତେବେଳେ ରାଜ୍ୟରେ ଗରମ ମଧ୍ୟ ଥିବ ଶୀର୍ଷରେ । ଏମିତି ପାଣିପାଗରେ ରାଜ୍ୟର 147ଟି ବିଧାନସଭା ଆସନକୁ କଭର କରିବାକୁ ଅଛି । ବିଗିଡ଼ିଥିବା ସ୍ବାସ୍ଥ୍ୟାବସ୍ଥାରେ କୁଆଡ଼େ ଯିବେ କୁଆଡ଼େ ନ ଯିବେ ନବୀନ ?  ସେ ହିଁ ବିଜେପିର ୟୁନିକ୍‌ ସେଲିଂ ପଏଣ୍ଟ(ୟୁଏସ୍‌ପି), ଦଳର ଜଣେ ମାତ୍ର ଷ୍ଟାର କ୍ୟାମ୍ପେନର । କାରଣ ଦଳରେ ଆଉ କାହାକୁ ଉଠିବାକୁ, ପରିଚୟ ପାଇବାକୁ ଦେଇନାହାନ୍ତି ନବୀନ । ଯିଏ କଥା କହିଲା ତାକୁ ପାର୍ଟିରୁ ବିଦା କରିଛନ୍ତି । ଏଣୁ 2019ର ମହାସଂଗ୍ରାମରେ ତାଙ୍କୁ ଏକୁଟିଆ ହିଁ ଅପେକ୍ଷାକୃତ ସଶକ୍ତ ବିରୋଧୀଙ୍କୁ ସାମ୍ନା କରିବାକୁ ହେବ ।

ଏସବୁ ଭିତରେ ସାଧାରଣ ନିର୍ବାଚନରେ ନବୀନ କେମିତି ଏସବୁ ସ୍ଥିତିର ସାମ୍ନା କରିବେ ସେଥିପାଇଁ ବିଜେଡି ବହୁ ପୂର୍ବରୁ କରିଛି ଚତୁର ଯୋଜନା । 2019 ନିର୍ବାଚନରେ ଏମିତି ସମସ୍ୟା ହେବ ବୋଲି ପୂର୍ବରୁ ଜାଣିଥିଲେ ବିଜେଡିର ମାଷ୍ଟର ମାଇଣ୍ଡ । ଏଥିପାଇଁ ବହୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସହ ସମ୍ପର୍କକୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଲୋକଙ୍କ ଭିତରେ ପୁରାଇବାକୁ ବେଶ୍‌ ପୂର୍ବରୁ ଉଦ୍ୟମ ଆରମ୍ଭ କରାଯାଇଛି । ଟାର୍ଗେଟ୍‌ ହେଉଛି ନିର୍ବାଚନ ।

‘ଆମ ଗାଁ ଆମ ବିକାଶ’, ‘ପିଠା’ ଆଦି ଯୋଜନା ନାଁରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗାଯୋଗ କରାଯିବାର ବ୍ୟବସ୍ଥା କରାଯାଇଛି । ଏହାର ପରିବର୍ଦ୍ଧିତ ରୂପ ଦେଖିବାକୁ ମିଳିବ ନିର୍ବାଚନ ପ୍ରଚାର ସମୟରେ । ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେଡି ପକ୍ଷରୁ ବଡ଼ ଜନସଭାର ଆୟୋଜନ କରାଯିବ । ମଞ୍ଚ ତିଆରି ହେବ, ଲୋକେ ଆସିବେ, ଅନ୍ୟ ନେତା ଆସିବେ, ମୁଖ୍ୟମନ୍ତ୍ରୀ ଆସିବା କଥା କୁହାଯିବ । କିନ୍ତୁ ପ୍ରକୃତରେ ସଭାକୁ ଯିବା ବଦଳରେ ଭୁବନେଶ୍ବରରେ ବସି ଲୋକଙ୍କୁ ଭାଷଣ ଦେବେ ନବୀନ । ଏଥିପାଇଁ ସଭା ସ୍ଥଳରେ ବଡ଼ ବଡ଼ ଭିଡ଼ିଓ ସ୍କ୍ରିନ୍‌ ଲଗାଯିବ ।

ଭୁବନେଶ୍ବରରୁ ମୁଖ୍ୟମନ୍ତ୍ରୀଙ୍କ ଲାଇଭ୍‌ ସୋ(ସିଧାପ୍ରସାରଣ) କରାଯିବ । ଲାଇଭ୍‌ ହୋଇ ନ ପାରିଲେ ଟେଲିଭିଜନ୍‌ ନ୍ୟୁଜ୍‌ରେ କରାଯାଉଥିବା ସିମୁଲେଟେଡ୍‌ ଲାଇଭ୍‌ର ବ୍ୟବହାର କରାଯିବ । ଯାହା ସିଧାପ୍ରସାରଣ ନ ହେଲେ ବି ସେହିଭଳି ଲାଗିବ । ସଭାସ୍ଥଳରୁ ଜଣେ ସଭାପତି ଲିଙ୍କ ଦେବେ । ଆଉ ଭୁବନେଶ୍ବରରେ ବସି ନବୀନ ଭାଷଣ ଦେବେ । ସଭା ହେଉଥିବା ଅଞ୍ଚଳର ବିଷୟବସ୍ତୁ ଓ ସମସ୍ୟା କଥା କହିବେ । ଏମିତିକି ମିଟିଂ ଚାଲିଥିବାବେଳେ ଲୋକେ ତାଙ୍କ ଅନୁପସ୍ଥିତି ଅନୁଭବ ନକରନ୍ତୁ ସେଥିପାଇଁ ସମୟ ସମୟରେ ନବୀନଙ୍କ ଭିଡ଼ିଓ ଇନସର୍ଟ କରାଯିବ ।

ନିର୍ବାଚନ ପ୍ରଚାର ସମୟରେ ଏମିତି ବ୍ୟବସ୍ଥା କରିବାକୁ ବିଜେଡି ପକ୍ଷରୁ ଦେଶ ବିଦେଶର କିଛି କମ୍ପାନୀଙ୍କ ସହ ଆଲୋଚନା ଚାଲିଛି । କହିବାକୁ ଗଲେ 2019 ନିର୍ବାଚନ ପ୍ରଚାର ସମୟରେ ମୋଦି ଓ ରାହୁଲ ଗ୍ରାଉଣ୍ଡ ୱାର୍‌କୁ ଟକ୍କର ଦେବ ନବୀନଙ୍କ ସାଟେଲାଇଟ୍‌ ୱାର୍‌ । ବିରୋଧୀଙ୍କୁ ସାମ୍ନା କରିବାକୁ ଏହା ନବୀନଙ୍କ ହାଇଟେକ୍‌ ଯୁଦ୍ଧ କୌଶଳ । ବିଜେଡି ପକ୍ଷରୁ ଏମିତି ଯୋଜନା କରିବା ପଛରେ କାରଣ ହେଲା ନିଜ ଶାସନ କାଳ ଭିତରେ ଏଥର ସବୁଠାରୁ ଅଧିକ ପ୍ରତିକୂଳ ପରିସ୍ଥିତିରେ ଅଛନ୍ତି ବିଜେଡି ସୁପ୍ରିମୋ ଓ ତାଙ୍କ ଦଳ ।

ବିଜେଡି ଓଡ଼ିଶାରେ 20 ବର୍ଷ ହେଲା ଶାସନ କରୁଛି । ଆଣ୍ଟି ଏସଟାବ୍ଲିସ୍‌ମେଣ୍ଟ ସବୁଠାରୁ ଅଧିକ । ଦଳ ଭିତରେ ଗୋଷ୍ଠୀ କନ୍ଦଳ ଚରମ ସୀମାରେ । ଦୁର୍ନୀତି ଅଭିଯୋଗ ବିଜେଡିକୁ ଜାଲ ଭଳି ଛାଇ ଯାଇଛି । ଦଳରେ କୌଣସି ସେକେଣ୍ଡ ଇନ୍‌ କମାଣ୍ଡ ନାହିଁ । ଅନ୍ୟପଟେ ଏଥର ଏଥର ସବୁଠାରୁ ଅଧିକ ସଶକ୍ତ ହୋଇଛନ୍ତି ବିରୋଧୀ । ଏଥର ଜଣେ ପ୍ରଧାନମନ୍ତ୍ରୀ ଓ ଜଣେ ଆଶାୟୀ ନବୀନଙ୍କ ସହ ସିଧାସଳଖ ଟକ୍କର ଦେଉଛନ୍ତି ।

ଦୁଇ ଜାତୀୟ ଦଳର ଫୋକସ୍‌ ଏଥର ସବୁଠାରୁ ଅଧିକ ଓଡ଼ିଶା ଉପରେ । ଏ ସବୁ ସତ୍ତ୍ବେ ଯଦି ନବୀନ 2019ରେ ପୁଣି ଥରେ ବିରୋଧୀଙ୍କୁ ମାତ୍‌ ଦେଉଛନ୍ତି, ପୁଣି ଥରେ ମୁଖ୍ୟମନ୍ତ୍ରୀ ଗାଦିରେ ବସୁଛନ୍ତି ଏହା ହେବ ଭାରତ ବର୍ଷରେ ଲୋକପ୍ରିୟତା ଦୃଷ୍ଟିରୁ ସବୁଠାରୁ ବିରଳ କୃତି । ଯାହାକୁ ଏକ କେସ୍‌ ଷ୍ଟଡି ଭାବେ ନିଆଯାଇପାରେ ।

Related Posts