ବଦଳିଲେ ସିବିଆଇର ୪ ଯୁଗ୍ମ ନିର୍ଦ୍ଦେଶକ, ନିଯୁକ୍ତ ହେଲେ ନୂଆ ମୁଖପାତ୍ର

ସିବିଆଇକୁ ନେଇ ଗତ କିଛି ଦିନ ହେଲା ଦେଶରେ ରାଜନୀତି ସରଗରମ ରହିଛି । ଏହା ଭିତରେ ଅନ୍ତରୀଣ ସିବିଆଇ ନିର୍ଦ୍ଦେଶକ ନାଗେଶ୍ୱର ରାଓ ୪ ଜଣ ଯୁଗ୍ମ ନିର୍ଦ୍ଦେଶକଙ୍କ ବଦଳି ଆଦେଶ ଦେଇଛନ୍ତି । ଯୁଗ୍ମ ନିର୍ଦ୍ଦେଶକ ଲକ୍ଷ୍ନୌ ଜି.କେ ଗୋସ୍ୱାମୀ ଆଣ୍ଟି କରପସନ ବ୍ୟୁରୋ ଦାୟିତ୍ୱ ନେଇଛନ୍ତି ।

ଯୁଗ୍ମ ନିର୍ଦ୍ଦେଶକ ବ୍ୟାଙ୍କିଙ୍ଗ ସିକ୍ୟୁରିଟି ଆଣ୍ଡ୍‌ ଫ୍ରଡ୍‌ ସରଦ ଅଗ୍ରୱାଲଙ୍କୁ ଲକ୍ଷ୍ନୌ ପଠାଯାଇଛି । ଯୁଗ୍ମ ନିର୍ଦ୍ଦେଶକ ଚେନ୍ନାଇ ପ୍ରବୀଣ ସିହ୍ନାଙ୍କୁ ଦିଲ୍ଲୀ ଅଣାଯାଇଛି । ତାଙ୍କୁ ବିଏସ୍‌ଏଫ୍‌ର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଯୁଗ୍ମ ନିର୍ଦ୍ଦେଶକ ମୁମ୍ବାଇ ଅମ୍ରିତ ମୋହନ ପ୍ରସାଦଙ୍କୁ ଚେନ୍ନାଇରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ଏଥିସହ ସିବିଆଇର ମୁଖ୍ୟ ସୂଚନା ଅଧିକାରୀ ବି ବଦଳିଛନ୍ତି । ବରିଷ୍ଠ ଭାରତୀୟ ସୂଚନା ସେବା ଅଧିକାରୀ ନୀତୀନ ୱାକନକର ସିବିଆଇର ନୂତନ ମୁଖ୍ୟ ସୂଚନା ଅଧିକାରୀ ତଥା ମୁଖପାତ୍ର ହେବେ । ଅଭିଷେକ ଦୟାଲଙ୍କୁ ପ୍ରକାଶନ ବିଭାଗକୁ ବଦଳି କରାଯିବା ପରେ ତାଙ୍କ ସ୍ଥାନରେ ନୀତୀନ ୱାକନକରଙ୍କୁ ନିଯୁକ୍ତି ମିଳିଛି । ଚୟନ କମିଟି ଦ୍ୱାରା ବିଭାଗର ନିର୍ଦ୍ଦେଶକ ପଦୁର ଆଲୋକ ବର୍ମାଙ୍କୁ ବାହାର କରାଯିବା ପରେ ଏହି ପରିବର୍ତ୍ତନ କରାଯାଇଛି ।

ନିଜର ଚାକିରି କାଳରେ ୱାକନକର ରାଷ୍ଟ୍ରପତି ଭବନ, ମୁମ୍ବାଇସ୍ଥିତ ପ୍ରତିରକ୍ଷା ମନ୍ତ୍ରାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସେବା ଦେଇଛନ୍ତି । ଆଇଆଇଏସ୍‌ ଅଧିକାରୀ ଦୟାଲ ବିଗତ ୪ ମାସ ମଧ୍ୟରେ ଚର୍ଚ୍ଚାକୁ ଆସିଛନ୍ତି । ଦୟାଲଙ୍କୁ ପ୍ରକାଶନ ବିଭାଗକୁ ବଦଳି କରାଯାଇଛି । ସେ ୩ ବର୍ଷ ପାଇଁ ୨୦୧୭ରେ ସିବିଆଇକୁ ବଦଳି ହୋଇଥିଲେ । ପୁର୍ବରୁ ସେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, ଗୃହ ମନ୍ତ୍ରାଳୟ, କଲମ୍ବୋରେ ଆକାଶବାଣୀର ପ୍ରତିନିଧି ଥିଲେ ।

Related Posts