କୁମ୍ଭର ସଫେଇକର୍ମୀଙ୍କ ଘରେ ଜନ୍ମ ହେଲା ‘ପ୍ରୟାଗରାଜ’

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଦିନକ ପରେ ଆରମ୍ଭ ହେବ କୁମ୍ଭମେଳା । ଏହା ପୂର୍ବରୁ କୁମ୍ଭ ସମ୍ପର୍କିତ ଏକ ଖବର ଆସିଛି ଚର୍ଚ୍ଚାକୁ । ପ୍ରୟାଗରାଜ କୁମ୍ଭମେଳାରେ କାମ କରିବାକୁ ଆସିଥିବା ଜଣେ ସଫେଇ କର୍ମୀଙ୍କ ପରିବାରରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି । ମେଳାର କେନ୍ଦ୍ରୀୟ ହସ୍ପିଟାଲରେ ଏହି ଶିଶୁଟି ଜନ୍ମ ହୋଇଥିବାବେଳେ ତା’ର ନାଁ ରଖାଯାଇଛି ‘ପ୍ରୟାଗରାଜ’ ।

କୁମ୍ଭମେଳାରେ ବହୁ ସଂଖ୍ୟାରେ ସଫେଇ କର୍ମୀଙ୍କୁ ନିୟୋଜିତ କରାଯାଇଛି । ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କୁମ୍ଭ ପାଇଁ ନିର୍ମିତ କେନ୍ଦ୍ରୀୟ ହସ୍ପିଟାଲରେ ସଫେଇକର୍ମୀ ଭାବେ କାମ କରୁଥିବା ମିର୍ଜାପୁର ଜିଲ୍ଲା ଲାଲଗଞ୍ଜ ତହସିଲ ଅଧୀନ ଗଡ଼ବଡ଼ାଧାମର ବାସିନ୍ଦା କଲ୍ଲୁ । ତାଙ୍କ ପତ୍ନୀ ରଜନୀ ଏକ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି । ଏହି ଅବସରରେ ପୂରା ପରିବାର ସମେତ ହସ୍ପିଟାଲରେ ଖୁସିର ବାତାବରଣ ଦେଖାଯାଇଛି ।

କୁମ୍ଭମେଳାରେ ୧୦୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ହସ୍ପିଟାଲ ସ୍ଥାପନ କରାଯାଇଛି । କେନ୍ଦ୍ରୀୟ ହସ୍ପିଟାଲରେ ଜନ୍ମ ହୋଇଥିବା ପ୍ରଥମ ଶିଶୁକୁ ‘ପ୍ରୟାଗରାଜ’ ରାଜ ରଖାଯାଇଛି । ତା’ର ଜନ୍ମ ହେବା ଖୁସିରେ ମିଠା ବଣ୍ଟା ଯାଇଛି ।

ପ୍ରୟାଗରାଜ ଜନ୍ମ ନେବା ପରେ ହସ୍ପିଟାଲର ଡାକ୍ତରଙ୍କଠାରୁ ନେଇ କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ତା’ ସହ ସମ୍ପର୍କରେ ଯୋଡ଼ି ହେବାକୁ ଚାହିଁଛନ୍ତି । କେହି ଦାଦା ହୋଇଥିବା ବେଳେ ଆଉ କେହି ଜେଜେ । ସମସ୍ତେ ମିଶି ନବଜାତ ପୁତ୍ର ସନ୍ତାନର ନାମ ‘ପ୍ରୟାଗରାଜ’ ରଖିଛନ୍ତି ।

କୁମ୍ଭ କେନ୍ଦ୍ରୀୟ ଚିକିତ୍ସାଳୟର ଡାକ୍ତର ଶକ୍ତି ଦୁବେ କହିଛନ୍ତି, ସଫେଇ କର୍ମଚାରୀ କଲ୍ଲୁ ଓ ତାଙ୍କ ସ୍ତ୍ରୀ ରଜନୀ କୁମ୍ଭରେ ଡ୍ୟୁଟି କରିବାକୁ ଆସିଥିଲେ । ଅଚାନକ ରଜନୀଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଆଉ ଜନ୍ମ ହେଲା ‘ପ୍ରୟାଗରାଜ’ ।

Related Posts