ବିଶ୍ୱକପ: ଆଫଗାନିସ୍ତାନକୁ ପରାସ୍ତ କଲା ଭାରତ, ସାମିଙ୍କୁ ହ୍ୟାଟ୍ରିକ ୱିକେଟ

ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ଦ୍ୱାରା ପରିଚାଳିତ ଚଳିତ ବିଶ୍ୱକପରେ ଭାରତର ବିଜୟ ଧାରା ଜାରି ରହିଛି । ଭାରତ ସାଉଥମ୍ପଟନ ଠାରେ ଶନିବାର ଆଫଗାନିସ୍ତାନକୁ ଏକ କଡ଼ା ମୁକାବିଲାରେ ୧୧ ରନରେ ପରାସ୍ତ କରିଛି । ଭାରତର ବିଜୟରେ ବୋଲର ମହମ୍ମଦ ସାମି ହିରୋ ଭାବରେ ଉଭା ହୋଇଛନ୍ତି । ସାମିଙ୍କୁ ହ୍ୟାଟ୍ରିକ ସମେତ ୪ଟି ୱିକେଟ ମିଳିଛି । ଦ୍ୱୀତିୟ ଇନିଂସରେ ଆଫଗାନିସ୍ତାନ ୨୨୫ ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା ଏବଂ ୪୯.୫ ଓଭରରେ ସମସ୍ତ ୱିକେଟ ହରାଇ ୨୧୩ ରନ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା ।

ମହମ୍ମଦ ସାମି ଇନିଂସର ଶେଷ ଓଭରରେ ୩ଟି ୱିକେଟ ନେଇ ଆଫଗାନିସ୍ତାନର ବିପର୍ଯ୍ୟୟ ଘଟାଇଥିଲେ । ଏହା ପୂର୍ବରୁ ଦିନିକିଆ କ୍ରିକେଟରେ ବିଶ୍ୱର ଏକ ନମ୍ବର ବୋଲର ଯଶପ୍ରୀତ ବୁମରା କ୍ରମାଗତ ୨ଟି ୱିକେଟ ନେଇ ଆଫଗାନିସ୍ତାନର ରନ ହାରକୁ ହ୍ରାସ କରିଥିଲେ । ବିଶ୍ୱକପରେ ଏହା ହେଉଛି ଭାରତର ୫୦ତମ ବିଜୟ ଏବଂ ଚଳିତ ବିଶ୍ୱକପରେ ୪ର୍ଥ ବିଜୟ । ଭାରତ ଏବେ ୯ ପଏଣ୍ଟ ପାଇଁ ଅଙ୍କ ତାଲିକାରେ ୩ୟ ସ୍ଥାନ ହାସଲ କରିଛି । ଟେବୁଲରେ ୧୧ ପଏଣ୍ଟ ସହ ନ୍ୟୁଜିଲାଣ୍ଡ ଶୀର୍ଷରେ ଥିବା ବେଳେ ୧୦ ପଏଣ୍ଟ ପାଇଁ ଅଷ୍ଟ୍ରେଲିଆ ୨ୟ ସ୍ଥାନରେ ରହିଛି ।

ମ୍ୟାଚରେ ଆଫଗାନିସ୍ତାନ ପ୍ରଥମେ ଭଲ ବୋଲିଂ କରି ୨ ଥର ବିଶ୍ୱ ଚାମ୍ପିଅନ ଭାରତୀୟ ଟିମର୮ ୱିକେଟ ନେଇ ୨୨୪ ରନରେ ଅଟକାଇଥିଲା । ଏହା ପରେ ବିଶ୍ୱକପରେ ଆଫଗାନିସ୍ତାନ ବଡ଼ ଧରଣର ଅଦଳବଦଳ କରିବା ପାଇଁ ଅଗ୍ରସର ହୋଇଥିଲା । ମାତ୍ର ଶେଷ ୨ ଓଭରରେ ମ୍ୟାନ ଅଫ ଦ ମ୍ୟାଚ ଯଶପ୍ରୀତ ବୁମରା ଓ ସାମି ଘାତକ ବୋଲିଂ କରିଥିଲେ । ଶେଷ ବଲ ଥାଇ ଭାରତ ଆଫଗାନିସ୍ତାନକୁ ୨୧୩ ରନରେ ଅଟକାଇ ଦେଇଥିଲା । ଏହା ପୂର୍ବରୁ ଆଫଗାନିସ୍ତାନ ଟିମ ତରଫରୁ ବୋଲିଂ କରି ୩୩ ରନ ଦେଇ ୨ ୱିକେଟ ନେଇଥିବା ମହମ୍ମଦ ନବୀ ଟିମ ପାଇଁ ୫୫ ବଲ ଖେଳି ୫୨ ରନ କରିଥିଲେ ।

ଦ୍ୱିତୀୟ ଇନିଂସରେ ଶେଷ ୨ ଓଭର ରୋମାଞ୍ଚକର ଥିଲା । ଆଫଗାନିସ୍ତାନକୁ ୨୧ ରନ ଆବଶ୍ୟକ ଥିବା ବେଳେ ୪୯ତମ ଓଭରକୁ ବୁମରା ବୋଲିଂ କରିଥିଲେ । ସେ ୫ ରନ ଦେଇଥିଲେ । ଶେଷ ଓଭରକୁ ସାମି ବୋଲିଂ କରିଥିଲେ । ଏହି ଓଭରରେ ସାମିଙ୍କ ପ୍ରଥମ ବଲକୁ ନବୀ ଚୌକା ମାରିଥିଲେ । ଦ୍ୱିତୀୟ ବଲରୁ କୌଣସି ରନ ହୋଇପାରି ନଥିଲା । ତୃତୀୟ ବଲକୁ ହାର୍ଦ୍ଦିକ ପାଣ୍ଡ୍ୟା କ୍ୟାଚ ନେଇଥିଲେ । ପରବର୍ତ୍ତୀ ୨ଟି ବଲରେ ଅଫତାବ ଆଲମ ଓ ମୁଜୀବ ଉର ରହମାନ ଖାତା ଖୋଲିପାରି ନଥିଲେ ।

Related Posts