‘ମୋହନ ଭାଗବତ ହେଉଛନ୍ତି ରାଷ୍ଟ୍ର-ପିତା’; ଆରଏସଏସ ପ୍ରମୁଖଙ୍କ ସହ ବୈଠକ ପରେ ଏଭଳି ମନ୍ତବ୍ୟ ଦେଲେ ଇମାମ ସଂଗଠନର ମୁଖ୍ୟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ପ୍ରମୁଖ ମୋହନ ଭାଗବତ ଗୁରୁବାର ଅଖିଳ ଭାରତୀୟ ଇମାମ ସଂଗଠନର ମୁଖ୍ୟ ଇମାମ ଉମର ଅହମଦ ଇଲିୟାସୀଙ୍କ ସହ ବୈଠକ କରିଛନ୍ତି । ବୈଠକ ପରେ ଡା.ଇମାମ ଉମର ଅହମଦ ଇଲିୟାସୀ ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କୁ ଦେଶର ରାଷ୍ଟ୍ର-ପିତା ଏବଂ ରାଷ୍ଟ୍ର-ଋଷି ବୋଲି କହିଛନ୍ତି ।

ଅଖିଳ ଭାରତୀୟ ଇମାମ ସଂଗଠନର ମୁଖ୍ୟ କହିଛନ୍ତି ଯେ, ଆଜି ମୋର ନିମନ୍ତ୍ରଣରେ ମୋହନ ଭାଗବତ ଜୀ ଏଠାକୁ ଆସିଥିଲେ। ସେ ଆସିବା ପରେ ଏକ ଭଲ ସନ୍ଦେଶ ସମସ୍ତଙ୍କ ନିକଟରେ ପହଞ୍ଚିବ। ସେ କହିଛନ୍ତି, ହିନ୍ଦୁ ଏବଂ ମୁସଲମାନଙ୍କ ପୂଜା କରିବାର ପ୍ରଣାଳୀ ଅଲଗା କିନ୍ତୁ ଆମ ସମସ୍ତଙ୍କର ଧର୍ମ ହେଉଛି ମାନବିକତା। ଇମାମ ପ୍ରମୁଖ ମାନବିକତାକୁ ସବୁଠୁ ବଡ଼ ଧର୍ମ ବୋଲି କହିଛନ୍ତି । ଏହାସହ ଧର୍ମ ଉପରେ ରାଷ୍ଟ୍ର ବୋଲି ସେ କହିଛନ୍ତି ।

ସୂଚନା ଅନୁସାରେ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରମୁଖ ମୋହନ ଭାଗବତ ଗୁରୁବାର କସ୍ତରବା ଗାନ୍ଧୀ ମାର୍ଗ ସ୍ଥିତ ମସଜିଦରେ ପହଞ୍ଚିଥିଲେ । ଏଠାରେ ସେ ଇମାମ ଉମର ଅହମଦ ଇଲିୟାସୀଙ୍କ ସହ ଅନ୍ୟ ମୁସଲିମ ନେତାଙ୍କ ସହ ବୈଠକ କରିଥିଲେ । ଏଲିୟାସୀ ଅଖିଳ ଭାରତୀୟ ଇମାମ ସଂଗଠନର ମୁଖ୍ୟ ଇମାମ ଅଛନ୍ତି। ଏହା ପୂର୍ବରୁ ସଂଘ ପ୍ରମୁଖ ମୋହନ ଭାଗବତ ମୁସଲମାନ ସମୁଦାୟର ପ୍ରତିନିଧିଙ୍କ ସହ ବନ୍ଦ କଠୋରୀରେ ବୈଠକ କରି ଗୋ-ହତ୍ୟା ଉପରେ ନିଜର ଅଭିମୁଖ୍ୟ ସ୍ପଷ୍ଟ କରିବାକୁ କହିଥିଲେ। ଏହାସହ ହିନ୍ଦୁଙ୍କ ବିରୋଧରେ କାଫିର ଏବଂ ଜିହାଦ ପରି ଶବ୍ଦର ବ୍ୟବହାର ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଏହିପରି ଶବ୍ଦର ପ୍ରୟୋଗରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି।

Related Posts