
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) କର୍ଣ୍ଣାଟକରେ ‘ପେ ସିଏମ୍’ ପୋଷ୍ଟର ବିବାଦ ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଏହି ପୋଷ୍ଟର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ ଏବଂ ଶାସକ ଦଳ ଭାଜପାକୁ ଟାର୍ଗେଟ କରାଯାଇଥିଲା। ତେବେ ଗିରଫ ହୋଇଥିବା ଉଭୟ ବ୍ୟକ୍ତି କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି(କେପିସିସି)ର ସୋସିଆଲ ମିଡିଆ ୱିଙ୍ଗ ସହ ଜଡିତ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।ସେମାନେ ହେଉଛନ୍ତି କେପିସିସି ସୋସିଆଲ ମିଡିଆର ପୂର୍ବତନ ଅଧ୍ୟକ୍ଷ ବି.ଆର ନାଇଡୁ ଓ ବେଙ୍ଗାଲୁରୁର କେ.ଦେବନ୍ଦଦ୍ରାର ବାସିନ୍ଦା ଗଗନ ଯାଦବ।
ସୂଚନାଯୋଗ୍ୟ ଯେ, ବୁଧବାର ବେଙ୍ଗାଲୁରୁର ଅନେକ ସ୍ଥାନରେ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇଙ୍କ ଫଟୋ ଉପରେ ‘ପେ ସିଏମ୍’ ଲେଖାଥିବା ପୋଷ୍ଟର ଲଗାଯାଇଥିଲା। ବେଙ୍ଗାଲୁରୁ ରାସ୍ତାରେ ବୋମ୍ମାଇଙ୍କ କ୍ୟୁଆର୍ କୋଡ ସହିତ ‘ପେ ସିଏମ’ର ପୋଷ୍ଟର ଲଗାଯାଇଥିଲା। ଯଦି କେହି ପୋଷ୍ଟରରେ ଥିବା କ୍ୟୁଆର୍ କୋଡକୁ ସ୍କାନ କରନ୍ତି, ତେବେ ଏକ ୱେବସାଇଟ ଖୋଲୁଥିଲା। କଂଗ୍ରେସର କହିବା ଅନୁଯାୟୀ, ଲୋକମାନେ ଏହି ୱେବସାଇଟରେ ରାଜ୍ୟରେ ହେଉଥିବା ଦୁର୍ନୀତି ବିରୋଧରେ ଅଭିଯୋଗ ପଞ୍ଜିକରଣ କରିପାରିବେ।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ବୋମ୍ମାଇଙ୍କ ନିର୍ଦ୍ଦେଶ ଅନୁଯାୟୀ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଗୁରୁବାର ୨ଅଭିଯୁକ୍ତକୁ ଗିରଫ କରିଛି। ପବ୍ଲିକ ପୋଷ୍ଟ ଡିଫିଗୁରିମେଣ୍ଟ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ବୋଲି ବେଙ୍ଗାଲୁରୁ ପୋଲିସ କମିଶନର ପ୍ରତାପ ରେଡ୍ଡି ସୂଚନା ଦେଇଛନ୍ତି। ଏଥିସହ ବେଙ୍ଗାଲୁରୁର ବିଭିନ୍ନ ସ୍ଥାନ ଗୁଡ଼ିକରୁ ଏହି ପୋଷ୍ଟର ହଟାଇବାକୁ ଅଧିକାରୀମାନେ ବିବିଏମ୍ପି କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।