ମନି ଲଣ୍ଡରିଂ ମାମଲା: ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ୮ ଘଣ୍ଟା ଜେରା କଲା EOW

ମୁମ୍ବାଇ: ବେଆଇନ ଅର୍ଥ କାରବାର ମାମଲାରେ ଫସିଥିବା ସିଂହଳ ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ପୁଣି ଥରେ ଜେରାର ସମ୍ମୁଖୀନ ହେଇଛନ୍ତି । ଗତକାଲି(ବୁଧବାର) 200 କୋଟି ଟଙ୍କା ଠକେଇ ମାମଲାରେ ଜ୍ୟାକଲିନଙ୍କୁ ଜେରା କରିଛି EOW । ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା ତାଙ୍କୁ ଦୀର୍ଘ ୮ ଘଣ୍ଟା କାଳ ଜେରା କରିଥିବା ସୂଚନା ମିଳିଛି । ବୁଧବାର ସକାଳ ସାଢେ ୧୧ଟା ସମୟରେ ଜ୍ୟାକଲିନ୍ EOWର ମନ୍ଦିର ମାର୍ଗ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଏବଂ ରାତି ୮ଟାରେ କାର୍ଯ୍ୟାଳୟରୁ ବାହାରି ଥିଲେ । ସୁକେଶ ଠାରୁ ମିଳିଥିବା ଗିଫ୍ଟ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ତାଙ୍କୁ ପଚରାଉଚରା କରାଯାଇଛି ।

ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ଜ୍ୟାକ୍‌ଲିନଙ୍କୁ ପିଙ୍କି ଇରାନୀଙ୍କ ସହିତ ସାମ୍ନାସାମ୍ନି ବସାଇ ଜେରା କରାଯାଇଛି । ପିଙ୍କି ସୁକେଶ ଚନ୍ଦ୍ରଶେଖରଙ୍କ ଖୁବ୍ ନିକଟତମ ଅଟେ । ସୁକେଶ ପକ୍ଷରୁ ସେ ଜ୍ୟାକଲିନଙ୍କ ପାଖରେ କୋଟି କୋଟି ଟଙ୍କାର ଗିଫ୍ଟ ପହଞ୍ଚାଉ ଥିଲେ । EOW ଜେରା ବେଳେ ଜ୍ୟାକଲିନ ପିଙ୍କି ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ଯେ, ପୂର୍ବରୁ ସେ ସୁକେଶର କଳା କାରନାମା ସମ୍ପର୍କରେ ଜଣାଥିଲେ ଏବଂ ଏକଥା ତାଙ୍କୁ ଲୁଚାଇ ଥିଲେ ।ଏଠାରେ ଉଲ୍ଲେଖଯୋଗ୍ୟ, ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ 200 କୋଟି ମନି ଲଣ୍ଡରିଂ ମାମଲାରେ EOW ଗତ ସୋମବାର ଦିନ ଜ୍ୟାକଲିନଙ୍କୁ ତୃତୀୟ ଥର ପାଇଁ ସମନ ଜାରି କରିଥିଲା ଏବଂ ବୁଧବାର ଦିନ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା । ପୂର୍ବରୁ ଅଗଷ୍ଟ 29 ଓ ସେପ୍ଟେମ୍ବର 12ରେ ହାଜର ପାଇଁ ସମନ ଜାରି ହୋଇଥିଲା । କିନ୍ତୁ କାର୍ଯ୍ୟବ୍ୟସ୍ତତା ଥିବା ଦର୍ଶାଇ ସମନକୁ ଏଡାଇ ଯାଇଥିଲେ ଅଭିନେତ୍ରୀ ।

Related Posts