୨୦୨୪ରେ ଅଣ ବିଜେପି ସରକାର ଗଠନ ହେଲେ ପଛୁଆ ବର୍ଗ ରାଜ୍ୟ ଗୁଡ଼ିକୁ ସ୍ୱତନ୍ତ୍ର ମାନ୍ୟତା ଦିଆଯିବ: ନୀତୀଶ କୁମାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେନ୍ଦ୍ରରେ ବିଜେପି ହଟାଅ ଅଭିଯାନରେ ବାହାରିଛନ୍ତି ନୀତୀଶ କୁମାର। ସେ ବିଭିନ୍ନ ବିରୋଧୀ ନେତାଙ୍କୁ ଭେଟି ୨୦୨୪ ରେ ଦେଶରେ ଅଣ ବିଜେପି ସରକାର ଗଠନ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଏହି କ୍ରମରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏକ ପ୍ରତିଶ୍ରୁତି ଦେଇଛନ୍ତି ନୀତୀଶ କୁମାର। ସେ କହିଛନ୍ତି ଯେ, ଯଦି ୨୦୨୪ରେ କେନ୍ଦ୍ରରେ ଅଣ ବିଜେପି ସରକାର ଗଠନ ହୁଏ ତେବେ ପଛୁଆ ବର୍ଗ ରାଜ୍ୟ ଗୁଡ଼ିକୁ ସ୍ୱତନ୍ତ୍ର ମାନ୍ୟତା ଦିଆଯିବ। ଆଜି ନୀତୀଶ କହିଛନ୍ତି ଯେ, ଯଦି ଆମେ ଆଗାମୀ ଦିନରେ କେନ୍ଦ୍ରରେ ସରକାର ଗଠନ କରିବାକୁ ସୁଯୋଗ ପାଉ ତେବେ ପଛୁଆ ବର୍ଗ ରାଜ୍ୟ ଗୁଡ଼ିକୁ ନିଶ୍ଚିତ ସ୍ୱତନ୍ତ୍ର ମାନ୍ୟତା ଦେବୁ। ସେ କହିଛନ୍ତି ଯେ,ମୁଁ କେବଳ ବିହାର କଥା କହୁ ନାହିଁ। ଅନ୍ୟ ରାଜ୍ୟ କଥା ମଧ୍ୟ କହୁଛି। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ଆଜି ନୀତୀଶ ଏହା କହିଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୦୭ରୁ ନୀତୀଶ କୁମାର ବିହାର ପାଇଁ ସ୍ୱତନ୍ତ୍ର ମାନ୍ୟତା ଦାବି କରି ଆସୁଛନ୍ତି। ଏବେ ଜେଡିୟୁ ପକ୍ଷରୁ ଅତି ଚତୁରତାର ସହ ଏହି ପ୍ରସଙ୍ଗକୁ ଉଠାଇ ଦଳ ବିଜେପି ପରେ ଚାପ ସୃଷ୍ଟି କରିବାକୁ ପ୍ରୟାସ କରିଛି। ଯଦି ବିହାରକୁ ସ୍ୱତନ୍ତ୍ର ମାନ୍ୟତା ମିଳେ କେନ୍ଦ୍ର ଏବଂ ରାଜ୍ୟର ପାଣ୍ଠି ୯୦ ଅନୁପାତ ୧୦ ରହିବ। ଅନ୍ୟ ରାଜ୍ୟ ଅପେକ୍ଷା ସ୍ୱତନ୍ତ୍ର ମାନ୍ୟତା ପ୍ରାପ୍ତ ରାଜ୍ୟ ଗୁଡ଼ିକୁ ଅଧିକ ପାଣ୍ଠି ମିଳିବ। ଏବେ ଦେଶରେ ୧୧ଟି ସ୍ୱତନ୍ତ୍ର ମାନ୍ୟତା ରାଜ୍ୟ ଅଛି। ସେଗୁଡ଼ିକ ହେଲା ଅରୁଣାଚଳ ପ୍ରଦେଶ, ଆସାମ, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର (ବର୍ତ୍ତମାନ ଏକ ୟୁନିଅନ୍ ଟେରିଟୋରୀ), ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ୍, ତ୍ରିପୁରା ଏବଂ ଉତ୍ତରାଖଣ୍ଡ।

Related Posts