ବେସରକାରୀ ଡାକ୍ତରଖାନା ଦ୍ୱାରା COVID-19 ଚିକିତ୍ସା ଦେୟ ଉପରେ ନଜର ରଖନ୍ତୁ: ମୁଖ୍ୟମନ୍ତ୍ରୀ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି । ଏଥି ଲାଗି ସମସ୍ତ COVID-19 ଘରୋଇ ଡାକ୍ତରଖାନା ଉପରେ ତୀକ୍ଷ୍ଣ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି କୌଣସି ଘରୋଇ ହସ୍ପିଟାଲରେ ତ୍ରୁଟି ବାହାରେ ତାହାଲେ ସମ୍ପୃକ୍ତ ହସ୍ପିଟାଲ ପରିଚାଳନା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଚେତାଇ ଦେଇଛନ୍ତି । ଏହା ସହ ଯଥାଶୀଘ୍ର ପର୍ଯ୍ୟାପ୍ତ ଟିକା ସଂଗ୍ରହ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ପ୍ରତ୍ୟେକ ଦିନ ରାଜ୍ୟରେ ହଜାର ହଜାର ନୂଆ ସଂକ୍ରମଣ ଚିହଁଟ ହେଉଛନ୍ତି । ଯାହା ଫଳରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ଚିନ୍ତାରେ ପଡିଛନ୍ତି । ଉଭୟ ସରକାରୀ ଓ ବେସରକାରୀ ହସ୍ପିଟାଲ ଗୁଡିକରେ ସଂକ୍ରମିତଙ୍କ ପାଇଁ ଚିକିତ୍ସା କରାଯାଉଛି ।

ଏପରି ସ୍ଥିତିରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କ ସହ ରାଜ୍ୟରେ COVID ପରିସ୍ଥିତି ଏବଂ ଏହାର ପରିଚାଳନା ସମୀକ୍ଷା କରିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ଘରୋଇ ଡାକ୍ତରଖାନା ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ବେସରକାରୀ ହସ୍ପିଟାଲ ଗୁଡ଼ିକ ରାଜ୍ୟ ସରକାରଙ୍କ ଦ୍ଵାରା ସ୍ଥିର କରିଥିବା ମୂଲ୍ୟ ଅନୁସରଣ କରୁଛନ୍ତି କି ନାହିଁ ତାହା ମଧ୍ୟ ତଦାରଖ କରିବା ପାଇଁ କହିଛନ୍ତି । ଯଦି କୌଣସି ତ୍ରୁଟି ଘଟେ ତେବେ ଡାକ୍ତରଖାନା ପରିଚାଳନା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଛନ୍ତି । ଅନ୍ୟପଟେ ଲୋକମାନଙ୍କୁ ପରୀକ୍ଷା, ଚିକିତ୍ସା, ଖାଦ୍ୟ, ରହିବା ଏବଂ ଔିଷଧ, ମାଗଣାରେ ଯୋଗାଉଥିବାରୁ କୋଭିଡ ମୁକାବିଲାରେ ଓଡ଼ିଶା ସାରା ଭାରତ ବର୍ଷରେ ଭଲ ସ୍ଥିତିରେ ରହିଛି । ତେଣୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ କୋଭିଡ ମୁକାବିଲା ପାଇଁ ଲୋକଙ୍କ ନିକଟରେ ପହଂଚିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହ ଦୁର୍ବଳ ସ୍ଥାନଗୁଡିକ ଉପରେ ବିଶେଷ ଧ୍ୟାନ ଦେଇ ପରୀକ୍ଷା ଅନୁସନ୍ଧାନ ଏବଂ ଧାରଣ କାର୍ଯ୍ୟ ଜାରି ରଖିବା ଉଚିତ୍। ଟୀକାକରଣ କାର୍ଯ୍ୟକ୍ରମ ଏକ ପ୍ରାଥମିକତା ହେବ ବୋଲି ସୂଚନା ଦେଇଛନ୍ତି ।

Related Posts