ମଙ୍କିପକ୍ସ ଭୟ: ସ୍ପେନରେ ୪୮ ଘଣ୍ଟାରେ ଗଲା ୨ ଜଣଙ୍କ ଜୀବନ

ନୂଆଦିଲ୍ଲୀ : କରୋନା ମହାମାରୀ ପରେ ଏବେ ସମଗ୍ର ବିଶ୍ୱବାସୀଙ୍କୁ ଘାରିଛି ମଙ୍କିପକ୍ସ ଭୟ । ଦିନକୁ ଦିନ ଆକ୍ରାନ୍ତ ଓ ଭୟ ବଢ଼ିବାକୁ ଲାଗିଛି । ତା ସାଙ୍ଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଶନିବାର ସ୍ପେନରେ ମଙ୍କିପକ୍ସରେ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସ୍ପେନରେ ଗତ ଦୁଇ ଦିନ ମଧ୍ୟରେ ଦ୍ୱିତୀୟ ମୃତ୍ୟୁ ମାମଲା । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଶନିବାର ଏନେଇ ସୂଚନା ଦିଆଯାଇଛି । ତେବେ ମନ୍ତ୍ରାଳୟ ପକ୍ଷରୁ ଅଧିକ ତଥ୍ୟ ଦିଆଯାଇ ନାହି । ପୂର୍ବରୁ ଏହି ଭାଇରସରେ ପ୍ରଥମ ମୃତ୍ୟୁ ମାମଲା ଶୁକ୍ରବାର ସାମ୍ନାକୁ ଆସିଥିଲା ।

ଏବେସୁଦ୍ଧା ବିଶ୍ୱରେ ପ୍ରାୟ ୮୦ ଦେଶରେ ମଙ୍କିପକ୍ସ ଆତଙ୍କ ଖେଳାଇଛି । ୨୧ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଆଫ୍ରିକାରେ ଏଥିରେ ସର୍ବାଧିକ ୭୫ ଜଣ ପ୍ରାଣ ହରାଇଛନ୍ତି । ଅଧିକାଂଶ ନାଇଜେରିଆ ଓ କଙ୍ଗୋର ବ୍ୟକ୍ତି ଅଛନ୍ତି । ବ୍ରାଜିଲରେ ମଧ୍ୟ ମଙ୍କିପକ୍ସରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ସ୍ପେନର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଶୁକ୍ରବାର କହିଥିଲା ଯେ, ଦେଶରେ ଏବେସୁଦ୍ଧା ଏହି ଘାତକ ଭାଇରସରେ ୪୨୯୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ୩୫୦୦ ଜଣ ପୁରୁଷ ରହିଛନ୍ତି । ଏମାନେ ଅନ୍ୟ ପୁରୁଷଙ୍କ ସହ ସମ୍ବନ୍ଧ ରଖିଥିଲେ । ସଂକ୍ରମିତଙ୍କ ମଧ୍ୟରେ କେବଳ ୬୪ ମହିଳା ରହିଛନ୍ତି ।

ମନ୍ତ୍ରାଳୟ ପକ୍ଷରୁ ଆହୁରି କୁହାଯାଇଛି ଯେ, ସଂକ୍ରମିତଙ୍କ ମଧ୍ୟରୁ ଏବେସୁଦ୍ଧା ୧୨୦ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏତତ୍ ବ୍ୟତୀତ ୟୁରୋପୀୟ ସଙ୍ଘ ସଂଯୁକ୍ତ ଟିକା କାର୍ଯ୍ୟକ୍ରମରେ ୫୩୦୦ ଡୋଜ୍ ପ୍ରଦାନ କରିଥିବା ଜଣାପଡିଛି ।

Related Posts