ବିଧାୟକ ମହମ୍ମଦ ମୋକିମ୍‌ଙ୍କ ପାଇଁ ବଢ଼ିବାକୁ ଯାଉଛି ଅଡ଼ୁଆ: ବିଭିନ୍ନ କୋର୍ଟ ଏବଂ ଥାନାରୁ ରେକର୍ଡ ମାଗିଲେ ହାଇକୋର୍ଟ

କଟକ : ବଢିବ ବାରବାଟୀ-କଟକ ବିଧାନସଭା ନିର୍ବାଚନ ମାମଲାରେ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ପାଇଁ ଅଡ଼ୁଆ । ତାଙ୍କ ବିରୋଧରେ ବିଭିନ୍ନ କୋର୍ଟ ଏବଂ ଥାନାରେ ଥିବା ମାମଲାର ପେଡ଼ି ଖୋଲିବାକୁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ଏହି ମର୍ମରେ ବିଭିନ୍ନ କୋର୍ଟ ଏବଂ ଥାନାରୁ ମୋକିମ୍‌ଙ୍କ ବିରୋଧରେ ଗଡ଼ି ଆସୁଥିବା ବିଭିନ୍ନ ମାମଲାର ସାର୍ଟିଫାଏଡ୍‌ ରେକର୍ଡ ତଲବ କରିଛନ୍ତି । ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ପକ୍ଷରୁ ଆଗତ ମିସ୍‌କେସ୍‌ ଉପରେ ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ ଏହି ଆଦେଶ ଦେଇଛନ୍ତି ।

ଭୁବନେଶ୍ୱର ଭିଜିଲାନ୍ସ କୋର୍ଟରେ ମୋକିମ୍‌ଙ୍କ ବିରୋଧରେ ଯେଉଁ ମାମଲା ରହିଛି ଉକ୍ତ ମାମଲାର ଏଫ୍‌ଆଇଆର୍‌ କପି ଏବଂ ଅର୍ଡର ସିଟ୍‌ର ସାର୍ଟିଫାଏଡ୍‌ କପି ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କଟକ ଭିଜିଲାନ୍ସ ଅଦାଲତରୁ ମଧ୍ୟ ସମାନ ରେକର୍ଡ ତଲବ କରାଯାଇଛି । ସେହିପରି କଟକ ସଦର ଏସ୍‌ଡିଜେଏମ୍‌ଙ୍କ ଅଦାଲତରେ ଯେଉଁସବୁ ମାମଲା ରହିଛି ସେସବୁର ରେକର୍ଡ଼ ମଧ୍ୟ ତଲବ କରାଯାଇଛି ।

ସେହିପରି ବାଲିଅନ୍ତା ଥାନାରେ ବିଧାୟକ ମୋକିମ୍‌ଙ୍କ ବିରୋଧରେ ଯେଉଁ ମାମଲା ରହିଥିଲା ଉକ୍ତ ମାମଲାର ସମସ୍ତ ରେକର୍ଡ଼ ପତ୍ର ଦାଖଲ ପାଇଁ ଆବେଦନକାରୀଙ୍କ ପକ୍ଷରୁ ଅଦାଲତଙ୍କଠାରୁ ସମୟ ଲୋଡ଼ାଯାଇଥିଲା । ଅଦାଲତ ଏହି ଆବେଦନକୁ ଗ୍ରହଣ କରିବା ସହ ମାମଲାର ଶୁଣାଣି ଆସନ୍ତା ଅଗଷ୍ଟ ୨୨ ତାରିଖକୁ ଧାର୍ଯ୍ୟ ହୋଇଛି ।

Related Posts