ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ। ଏହାର ପ୍ରଭାବରେ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ, କୋରାପୁଟ, ନବରଙ୍ଗପୁର, କଟକ , ଢେଙ୍କାନାଳର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।ସେହିପରି ଆସନ୍ତା କାଲି ପାଇଁ ୬ଟି ଜିଲ୍ଲା କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଓ ବରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୨୮ ତାରିଖରୁ କମିବ ବର୍ଷା।ଜୁଲାଇ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିଛି। ଜୁନ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୪୮୮. ୫ମିମି ବର୍ଷା ହୋଇଛି। ଏହା ସ୍ୱାଭାବିକ ଠାରୁ ୨ପ୍ରତିଶତ ଅଧିକ। ଏହି ସମୟ ମଧ୍ୟରେ ସ୍ୱାଭାବିକ ବୃଷ୍ଟିପାତ ପରିମାଣ ୪୭୬.୮ ମିମି। ୫ଟି ଜିଲ୍ଲାରେ ଅଧିକ ବର୍ଷା ହୋଇଥିବା ବେଳେ ୨୪ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି। ଗୋଟିଏ ଜିଲ୍ଲା ସୁନ୍ଦରଗଡ଼ରେ ନିଅଣ୍ଟିଆ ବୃଷ୍ଟିପାତ ହୋଇଛି।
