ସପ୍ତାହେ ବିଳମ୍ବରେ କେରଳ ଛୁଇଁଲା ମୌସୁମୀ, ଓଡିଶା ପହଞ୍ଚିବାରେ ବି ହେବ ବିଳମ୍ବ

ଭୁବନେଶ୍ୱର,୮/୬(ସତ୍ୟପାଠ ବ୍ୟୁରୋ): ପ୍ରାୟ ୭ ଦିନ ବିଳମ୍ବରେ କେରଳ ଛୁଇଁଲା ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗତବର୍ଷ ମେ’ ୨୯ ତାରିଖରେ ମୌସୁମୀ କେରଳ ଛୁଇଁଥିଲା। ୨୦୨୧ରେ ଏହା ଜୁନ ୩ ଓ ୨୦୨୦ରେ ମୌସୁମୀ ଜୁନ ୧ରେ କେରଳରେ ତା’ର ଉପସ୍ଥିତି ଜାହିର କରିଥିଲା। ତେବେକେରଳ ଛୁଇଁବାର ୧୦ ଦିନ ପରେ ସାଧାଣତଃ ମୌସୁମୀ ଓଡ଼ିଶାକୁ ଆସିଥାଏ। ତେଣୁ ଜୁନ ୪ରେ ମୌସୁମୀ କେରଳ ଛୁଇଁବାକୁ ଥିବା ବେଳେ ଜୁନ ୧୪ ଅର୍ଥାତ ରଜ ବେଳକୁ ଓଡ଼ିଶାରେ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ଥାଏ । ତେବେ ଚଳିତ ବର୍ଷ ୮ ତାରିଖରେ ମୌସୁମୀ କେରଳ ଛୁଇଁଥିବା ବେଳେ କେବେ ଓଡ଼ିଶା ଛୁଇଁବ ସେ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ଦିଆଯାଇନି ।

ସାଧାରଣତଃ ପ୍ରତି ବର୍ଷ ମୌସୁମୀ ଜୁନ୍‌ ପହିଲା ସୁଦ୍ଧା କେରଳ ଓ ୧୨ ତାରିଖ ସୁଦ୍ଧା ଓଡ଼ିଶା ଛୁଇଁଥାଏ । ମାତ୍ର ଚଳିତ ବର୍ଷ କେରଳକୁ ସପ୍ତାହେ ଡେରିରେ ଆସିଥିବାରୁ ଓଡ଼ିଶାରେ ବି ଡେରି ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ । ତେବେ କେବେ ଓଡ଼ିଶା ଛୁଇଁବ ସେ ନେଇ ନିର୍ଦ୍ଦିଷ୍ଟ ଭାବେ କିଛି ଆକଳନ ହୋଇନି । ତେବେ ଏଥର ବିଳମ୍ବରେ ମୌସୁମୀ ଓଡ଼ିଶା ଛୁଇଁବା ଆକଳନ କରାଯାଉଛି, ତେଣୁ ଚଳିତ ବର୍ଷ ରଜରେ ଲୋକେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଛଟପଟ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି।

Related Posts