
ଭୁବନେଶ୍ୱର,୮/୬(ସତ୍ୟପାଠ ବ୍ୟୁରୋ): କରମଣ୍ଡଳ ସୁପରଫାଷ୍ଟ ଟ୍ରେନ ଏକ୍ସିଡେଣ୍ଟ ହେବାପରେ ଗୋଟିଏ ପରେ ଗୋଟିଏ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି | ଗୋଟିଏ ପଟେ CBI ତଦନ୍ତ ଆରମ୍ଭ କରିଦେଇଥିବା ବେଳେ ବିରୋଧୀଙ୍କ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବିକୁ ବିରୋଧ କରୁଥିବା କର୍ପୋରେଟ ସଂସ୍ଥା ଏବଂ ରେଳବାଇ ସହିତ ସମ୍ପୃକ୍ତ କମ୍ପାନୀ ଗୁଡିକର ବ୍ୟବସାୟିକ ସମ୍ପର୍କ କୁ ନେଇ ନୂଆ ନୂଆ ବିବାଦ ମୁଣ୍ଡ ଟକିବା ଆରମ୍ଭ ହୋଇଛି |
ଟ୍ରେନ ଦୁର୍ଘଟଣାକୁ ନେଇ ତୃଣମୂଳ କଂଗ୍ରେସ ଓ ବିଜେପି ଏବେ ମୁହାଁମୁହିଁ | ଅଶ୍ବିନୀ ବୈଷ୍ଣବଙ୍କ ଇସ୍ତଫା ଦାବି ନେଇ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି କହିଥିଲେ ଯେ, ଏହି ଦୁର୍ଘଟଣା ପଛରେ ମମତାଙ୍କ ଦଳ ଟିଏମସିର ହାତ ଅଛି | ଏହାର ଦିନକ ପରେ ସାଙ୍ଘାତିକ ତଥ୍ୟ ସହ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ବିଜେପିକୁ ଟାର୍ଗେଟ କରିଛି ତୃଣମୂଳ କଂଗ୍ରେସ | ତୃଣମୂଳ କଂଗ୍ରେସର ଜାତୀୟ ମୁଖପାତ୍ର ସାକେତ ଗୋଖେଲ ସନସନି ପ୍ରମାଣ ସହ ମନ୍ତ୍ରୀ ବୈଷ୍ଣବଙ୍କୁ ଟାର୍ଗେଟ କରିଛନ୍ତି |
ଗୋଖେଲ ତାଙ୍କର ଟ୍ୱିଟର ହ୍ୟାଣ୍ଡେଲରେ ଆରୋପ ଲଗାଇଛନ୍ତି ଯେ, କିଛି କମ୍ପାନୀ ଯେଉଁ ମାନଙ୍କର ରେଳବାଇ ସହ ବ୍ୟବସାୟିକ ସମ୍ପର୍କ ରହିଛି ସେମାନେ କିଭଳି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଇସ୍ତଫା ଦାବିକୁ ବିରୋଧ କରୁଛନ୍ତି | ତାହା ହିଁ ଏବେ ସବୁଠାରୁ ବଡ଼ ପ୍ରଶ୍ନ |
ଗୋଖେଲ ସିଧାସଳଖ ଆର.ପି. ଗୋଏଙ୍କା ଗ୍ରୁପର ଚୟାରମ୍ୟାନ ହର୍ଷ ଗୋଏଙ୍କା ଓ ଅଶ୍ଵିନୀ ବୈଷ୍ଣବଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଛନ୍ତି | ଗୋଖେଲଙ୍କ ପ୍ରଥମ ଅଭିଯାଗ ହେଲା ଦୁର୍ଘଟଣାର ଠିକ ଦିନକ ପରେ ଅର୍ଥାତ ଜୁନ ୩ ତାରିଖରେ ହର୍ଷ ଗୋଏଙ୍କା ଟ୍ୱିଟ କରି ଅଶ୍ବିନୀ ବୈଷ୍ଣବଙ୍କ କାମକୁ ପ୍ରଶଂସା କରିବା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିବା ବିରୋଧୀ ଦଳ ମାନଙ୍କୁ ସମାଲୋଚନା କରିଛନ୍ତି |
ହର୍ଷ ଗୋଏଙ୍କା ଟ୍ୱିଟ କରି ଦୁର୍ଘଟଣା ପରବର୍ତ୍ତୀ ଉଦ୍ଧାର ଓ ଥଇଥାନ କାର୍ଯ୍ୟ ପାଇଁ ଅଶ୍ବିନୀଙ୍କ କାମକୁ ପ୍ରଶଂସା କରିବା ସହ, ଏବେ ଇସ୍ତଫା ଅପେକ୍ଷା ରେଲୱେ ସୁରକ୍ଷା ବ୍ୟବସ୍ଥା ‘କବଚ’ ଯୋଜନା ରେ ଖର୍ଚ୍ଚ ବୃଦ୍ଧି କରାଯିବାର ଆବଶ୍ୟକତା ଅଛି ବୋଲି କହିଛନ୍ତି |
ହର୍ଷ ଗୋଏଙ୍କା ଆର.ପି. ଜି. ଗ୍ରୁପର ଚେୟାରମ୍ୟାନ ସହ RPG କମ୍ପାନୀ ମାଲିକାନାରେ ଥିବା ଆଉ ଏକ କମ୍ପାନୀ କେ.ଇ.ସି ଇନ୍ଟରନ୍ୟାଶନାଲ କମ୍ପାନୀର ମଧ୍ୟ ଚେୟାରମ୍ୟାନ ଅଛନ୍ତି | ଗତ 2022 ଅକ୍ଟୋବରରେ KEC କମ୍ପାନୀକୁ ରେଳବାଇ 1407 କୋଟି ଟଙ୍କା ପ୍ରଦାନ କରିଥିଲା | ଆହୁରି ମଜାଦାର କଥା ହେଲା, ଗତ 6 ଜୁନ ଅର୍ଥାତ ଠିକ ଏହି ମର୍ମନ୍ତୁଦ ଦୁର୍ଘଟଣାର ଚାରି ଦିନ ପରେ KEC ଇନ୍ଟରନ୍ୟାଶନାଲ କମ୍ପାନୀକୁ 600 କୋଟି ଟଙ୍କାର ଆଉ ଏକ କଣ୍ଟ୍ରାକ୍ଟ ରେଳବାଇ ଦେଲା | ଏହି କଣ୍ଟ୍ରାକ୍ଟ ଦିଆଯାଇଛି ରେଲୱେର ‘କବଚ’ ସିଷ୍ଟମକୁ ଇନଷ୍ଟଲ କରିବା ପାଇଁ |
ଗୁରୁତ୍ୱପୂର୍ଣ କଥା ହେଲା ଯେତେବେଳେ ବିରୋଧୀ ପ୍ରଶ୍ନ କରୁଛନ୍ତି କାହିଁକି ରେଲୱେର ମାତ୍ର ୨ ପ୍ରତିଶତ ରୁଟ ରେ କବଚ ସିଷ୍ଟମ ଇନଷ୍ଟଲ କରାଯାଇଛି ? ସାକେତ ଗୋଖେଲ ଏହାକୁ ନେଇ ପ୍ରଶ୍ନ କରିଛନ୍ତି ଯେ, ଦୁର୍ଘଟଣାର ଠିକ ୩ ଦିନ ପରେ ହର୍ଷ ଗୋଏଙ୍କାଙ୍କ କମ୍ପାନୀକୁ 600 କୋଟିର କବଚ କଣ୍ଟ୍ରାକ୍ଟ କିଭଳି ମିଳିଲା? ଯେଉଁ କମ୍ପାନୀର ରେଲୱେ ସହ ବ୍ୟବସାୟିକ ସମ୍ପର୍କ ରହିଛି ସେହି କମ୍ପାନୀର ଚେୟାରମ୍ୟାନ, ମନ୍ତ୍ରୀ ବୈଷ୍ଣବଙ୍କୁ ଯେତେବେଳ ସମର୍ଥନ ଓ ସୁରକ୍ଷା ଦେଉଛନ୍ତି ଠିକ ସେତେବେଳେ କିଭଳି ସେହି କମ୍ପାନୀକୁ ଶହ ଶହ କୋଟିର କଣ୍ଟ୍ରାକ୍ଟ ମିଳୁଛି ? ତାକୁ ବୁଝିବା ଦରକାର କହି ତୃଣମୂଳ କଂଗ୍ରେସ ନେତା ସାକେତ ଗୋଖେଲ ପ୍ରଶ୍ନ କରିଛନ୍ତି |