ସୁରନ୍ଦରଗଡ଼, (ସତ୍ୟପାଠବ୍ୟୁରୋ ): ହମିରପୁର ଗୋପପୁର ଗାଁ ନିକଟସ୍ଥ ଜଙ୍ଗଲକୁ ଲାଗି ରହିଥିବା ଜମିରେ ଏକ ଗଭୀର ଖାଲରେ ପଡ଼ିଯାଇଥିବା ହାତୀ ଶାବକକୁ ଦୀର୍ଘ ୬ ଘଣ୍ଟାର କସରତ ପରେ ଉଦ୍ଧାର ହୋଇଛି। ଜେସିବି ସାହାଯ୍ୟରେ ବନ ବିଭାଗ ସୁରକ୍ଷିତ ଭାବେ ହାତୀ ଶାବକକୁ ଉଦ୍ଧାର କରିବାରେ ସଫଳ େହାଇଛି। ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ହମିରପୁର ପଞ୍ଚାୟତର ଗୋପପୁର ଗାଁ ନିକଟସ୍ଥ ଜଙ୍ଗଲର ଏକ ଖାଲରେ ଆଜି ଭୋରରୁ ଏକ ହାତୀ ଶାବକ ଗଳି ପଡିଥିଲ। ଖାଲଟି ଅଧିକ ଗଭୀର ହୋଇଥିବାରୁ ହାତୀ ଛୁଆଟି ନିଜ ଚେଷ୍ଟାରେ ବାହାରକୁ ଆସିପାରୁ ନଥିଲା। ଘଟଣାସ୍ଥଳରେ ବଡ଼ ହାତୀ ପଲ ରହିଥିବା ବେଳେ ମାଆ ହାତୀଟି ଛୁଆ ପାଖରୁ ଆଦୌ ହଟୁ ନଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ନିଜ ଛୁଆର ସୁରକ୍ଷା ପାଇଁ ମାଆ ହାତୀଟି ଖାଲ ପାଖରେ ଜଗି ରହି ଗର୍ଜନ କରିଥିଲା। ଏହି ଖବର ପାଇ ସୁନ୍ଦରଗଡ଼ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିଲେ ସୁଦ୍ଧା ମାଆ ହାତୀର ଉପସ୍ଥିତି ଉଦ୍ଧାର କାର୍ଯ୍ୟରେ ବଡ଼ ବାଧା ସାଜିଥିଲା। ଯାହା ବନ ବିଭାଗ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି ହୋଇଥିଲା। ହାତୀ ଛୁଆଟିକୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ଜେସିବି ସାହାଯ୍ୟରେ ଖାଲର କିଛି ଅଂଶ ଖୋଳା ଯାଇଥିଲା।  ଦୀର୍ଘ ୬ ଘଣ୍ଟାର କସରତ ପରେ ବନବିଭାଗ ହାତୀକୁ ଖାଲ ଭିତରୁ ଉଦ୍ଧାର କରିଥିଲା।