ମୋର୍ବି ଝୁଲା ପୋଲ ଭାଙ୍ଗିବା ଘଟଣା; ପୋଲ ମରାମତି ପାଇଁ ମଞ୍ଜୁର ହୋଇଥିଲା ୨ କୋଟି, ଖର୍ଚ୍ଚ ହୋଇଛି ମାତ୍ର ୧୨ ଲକ୍ଷ

ଭୁବନେଶ୍ୱର ( ସତ୍ୟାପଠ ବ୍ୟୁରୋ ): ଗୁଜରାଟର ମୋର୍ବି ଝୁଲା ପୋଲ ଭାଙ୍ଗିବା ଘଟଣାରେ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ମୋର୍ବି ଟ୍ରାଜେଡିରେ ୧୩୫ରୁ ଅଧିକ ଲୋକଙ୍କ ପ୍ରାଣହାନୀ ହୋଇଥିଲା । ପୋଲ ମରାମତି କାମର ଟେଣ୍ଡର ନେଇଥିବା ଓରେଭା ଗ୍ରୁପ୍ ପୋଲ ମରାମତି ପାଇଁ ମଞ୍ଜୁର ୨ କୋଟି ଟଙ୍କାରୁ ମାତ୍ର ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ତଦନ୍ତରୁ ଜଣାପଡିଛି । ଯାହା ମୋଟ ମଞ୍ଜୁର ଅର୍ଥର ମାତ୍ର ୬% ।

ସୂଚନା ଅନୁସାରେ, ଗତ ମାର୍ଚ୍ଚ ମାସରେ ପୋଲର ମରାମତି ଟେଣ୍ଡର ନେଇଥିବା ଓରେଭା ଗ୍ରୁପର ଅଧ୍ୟକ୍ଷ ଜୟସୁଖ ପଟେଲ ଅକ୍ଟୋବର ୨୪ ତାରିଖରେ ପୋଲଟି ନିରାପଦ ବୋଲି ଘୋଷଣା କରିଥିଲେ । ଗୁଜରାଟୀ ନୂଆବର୍ଷରେ ପୋଲ ଖୋଲିବା ନିରାପଦ ବୋଲି ସେ ଘୋଷଣା କରିଥିଲେ । ଅହମ୍ମଦାବାଦସ୍ଥିତ ଓରେଭା ଗ୍ରୁପ୍ ହେଉଛି ଘଡ଼ି କମ୍ପାନୀ ଅଜନ୍ତାର ଏକ ସହଯୋଗୀ କମ୍ପାନୀ ।

ତଦନ୍ତରୁ ଜଣାପଡିଛି ଯେ, ଆଉ ଏକ କମ୍ପାନୀକୁ ମରାମତି କାମର ଦାୟିତ୍ୱ ଦେଇଥିଲା ଓରେଭା । ଦେବପ୍ରକାଶ ସଲ୍ୟୁସନ ନାମକ ଏହି କମ୍ପାନୀ ଟଙ୍କା ହେରଫେର କରିଥିବା ତଦନ୍ତରୁ ଜଣାପଡିଛି । ମରାମତି କାମକୁ ତଦାରଖ କରିବାକୁ ୧ବର୍ଷ ଧାର୍ଯ୍ୟ ହୋଇଥିଲା ପୌର ନିଗମକୁ ନଜଣାଇ ୭ ମାସରେ କାମକୁ ରଫାଦଫା କରିଥିଲା କମ୍ପାନୀ । ନିର୍ମାଣ କମ୍ପାନୀର ଏପରି ଦାୟିତ୍ୱହୀନତା ପାଇଁ ଅନେକ ଲୋକଙ୍କ ଜୀବନ ଚାଲିଗଲା ।

ଏହି ଅଘଟଣ ପରେ ମୋର୍ବି ନଗର ନିଗମର ମୁଖ୍ୟ ଅଧିକାରୀ ସନ୍ଦିପସିଂ ଜାଲାଙ୍କୁ ନିଲମ୍ୱିତ କରାଯାଇଛି । ତଦନ୍ତରୁ ଆହୁରି ଜଣାପଡିଛିଯେ, ଓରେଭାର ପ୍ୟାରେଣ୍ଟ କମ୍ପାନୀ ଅଜନ୍ତା ମାନୁଫାକ୍ଚରିଙ୍ଗ୍ ପ୍ରାଇଭେଟ୍ ଲିମିଟେଡ୍ ସହିତ ମୋର୍ବି ନଗର ନିଗମ ୧୫ ବର୍ଷର ମରାମତି କାମ ପାଇଁ କଣ୍ଟ୍ରାକ୍ଟ କରିଛି । ଯାହା ୨୦୩୭ ମସିହାରେ ଶେଷ ହେବ । ତେବେ ମୋର୍ବି ଝୁଲା ପୋଲ ଛିଣ୍ଡିବା ପରେ ଏହି କଣ୍ଟ୍ରାକ୍ଟ କାର୍ଯ୍ୟକାରୀ ହେଉଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା ।

Related Posts