ରୁଷ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ଦଶମ ଦିନରେ ପହଞ୍ଚିଛି | ଘମାଘୋଟ ଯୁଦ୍ଧ ଏବେ କରାଳ ରୂପ ଧାରଣ କରିଛି | ରୁଷ ସେନା ୟୁକ୍ରେନ ଉପରକୁ ଲଗାତାର ଭାବେ ଆକ୍ରମଣ କରି ଚାଲିଛନ୍ତି | ସେପଟେ ଏହି ଆକ୍ରମଣ ର ଶିକାର ହେଉଛନ୍ତି ନିରୀହ ଜନତା | ଏଥିସହ ୟୁକ୍ରେନ ରେ ଫସି ରହିଥିବା ଭାରତୀୟ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ତେବେ ଭାରତ ପକ୍ଷରୁ ଯୁଦ୍ଧ କାଳୀନ ଭିର୍ତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ, ଲଗାତାର ଗୁଳି ଓ ରକେଟ ମାଡ ବାଧା ସୃଷ୍ଟି କରୁଛି | ତେବେ ଏହାରି ମଧ୍ୟରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର ନିମନ୍ତେ ଉଦ୍ଧାର ଅପରେସନ ବ୍ୟାପକ କରାଯାଇ ପ୍ରତିଦିନ ସ୍ବତନ୍ତ୍ର ବିମାନ ଯୋଗେ ଶହ ଶହ ନାଗରିକଙ୍କୁ ଭାରତ ଅଣାଯାଉଛି । ମିଶନ ଗଙ୍ଗା ମାଧ୍ୟମରେ ୟୁକ୍ରେନରୁ ଏଯାବତ୍ ୧୧ ହଜାରରୁ ଅଧିକ ଭାରତୀୟ ଦେଶକୁ ଫେରିଥିବା ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ ସୂଚନା ଦେଇଛନ୍ତି ।

ଆଜି ମନ୍ତ୍ରୀ ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ୧୭୦ ଜଣ ୟୁକ୍ରେନ ଫେରନ୍ତା ଭାରତୀୟଙ୍କୁ ସ୍ବାଗତ କରିଛନ୍ତି । ଟ୍ବିଟ୍‌ ଯୋଗେ ମନ୍ତ୍ରୀ କହିଛନ୍ତି, ଅପରେସନ ଗଙ୍ଗା ପୂର୍ଣ୍ଣ କ୍ଷମତାରେ ରହିଛି । ଏପର୍ଯ୍ୟନ୍ତ ୧୧୦୦୦ରୁ ଅଧିକ ନାଗରିକଙ୍କୁ ୟୁକ୍ରେନରୁ ଭାରତ ଅଣାଯାଇଛି । ଏୟାର ଏସିଆ ବିମାନ ଯୋଗେ ଦିଲ୍ଲୀରେ ଅବତରଣ କରିଥିବା ୧୭୦ ଭାରତୀୟଙ୍କୁ ସ୍ବାଗତ କରି ଅତ୍ୟନ୍ତ ଖୁସି । ମିଶନ ଗଙ୍ଗା, ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଥିବା ବିଦେଶୀ ରାଷ୍ଟ୍ର ଏବଂ ସ୍ବେଚ୍ଛାସେବୀଙ୍କୁ ମୁରଲୀଧରନ ଧନ୍ୟବାଦ ଦେଇଛନ୍ତି । ୟୁକ୍ରେନରୁ ଭାରତ ଫେରିଲେଣି ୧୧ ହଜାରୁ ଅଧିକ ନାଗରିକୟୁକ୍ରେନରୁ ଭାରତ ଫେରିଲେଣି ୧୧ ହଜାରୁ ଅଧିକ ନାଗରିକ | ଶୁକ୍ରବାର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅପରେସନ ଗଙ୍ଗା ଜରିଆରେ ଭାରତୀୟ ବାୟୁସେନାର C-17 ସମେତ ୧୬ଟି ବିମାନ ଉଡାଣ ପାଇଁ ଯୋଜନା ରହିଛି । ଋଷ ଆକ୍ରମଣ ଯୋଗୁଁ ୟୁକ୍ରେନ ଆକାଶ ମାର୍ଗ ସିଲ୍‌ ହୋଇଛି । ତେଣୁ ୟୁକ୍ରେନ ସୀମାବର୍ତ୍ତୀ ୪ଟି ପଡୋଶୀ ରାଷ୍ଟ୍ର ଦେଇ ଭାରତୀୟ ନାଗରିକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ଚାଲିଛି । ଏହାର ତଦାରଖ ପାଇଁ ଭାରତ ସରକାର ୪ କେନ୍ଦ୍ରମନ୍ତ୍ରୀଙ୍କୁ ଉକ୍ତ ପଡୋଶୀ ରାଷ୍ଟ୍ରଗୁଡିକୁ ପଠାଇଛନ୍ତି ।