ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମତଦାନରୁ ବଞ୍ଚିତ ହେବାରୁ ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ପ୍ରାୟ ୩୦୦ରୁ ଅଧିକ ଭୋଟର । ତେବେ ଭୋଟରମାନେ ୨୦ ତାରିଖ ରାତିଠାରୁ ଧାରଣାରେ ବସିଥିବାର ସୂଚନା ମିଳିଛି । ତେବେ ଗତ ୨୦ ତାରିଖ ପୂର୍ବାହ୍ନ ୧୧ଟା ୩୦ମିନିଟ୍ ସମୟରେ ମତଦାନ ଚାଲୁଥିବା ବେଳେ ପ୍ରିଜାଇଡିଂ ଅଫିସର ମତଦାନ ପାଇଁ ଆସିଥିବା ଜଣେ ବୃଦ୍ଧା ମହିଳାଙ୍କୁ ବାହାରକୁ ଚାଲି ଯିବାକୁ କହିଥିଲେ । ଘଟଣାକୁ ନେଇ ପ୍ରିଜାଇଡିଂ ଅଫିସର ଓ ଭୋଟରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଫଳରେ ମତଦାନ ଦୀର୍ଘ ସମୟ ଧରି ବନ୍ଦ ରହିଥିଲା । ମତଦାନ ନିର୍ଦ୍ଧାରିତ ସମୟ ୧ଟା ହେବାରୁ ମତଦାନରେ ନିୟୋଜିତ ଥିବା କର୍ମଚାରୀମାନେ ମତଦାନ କେନ୍ଦ୍ର ବନ୍ଦକରି ବାଲାଟ ବାକ୍ସଗୁଡିକୁ ପୋଲିସ ସହାୟତାରେ ଷ୍ଟ୍ରଙ୍ଗ ରୁମକୁ ନେଇଆସିଥିଲେ । ତେବେ ଏହି କାରଣରୁ ବୁଥର ପ୍ରାୟ ୩ଶହରୁ ଉର୍ଦ୍ଧ୍ବ ଭୋଟର ମତଦାନ କରିବାରୁ ବଞ୍ଚିତ ହୋଇଛନ୍ତି ।

ପୁନଃ ମତଦାନ କରିବା ପ୍ରତିବାଦରେ ଗତ ୨୦ତାରିଖ ରାତିଠାରୁ ଶତାଧିକ ପୁରୁଷ-ମହିଳାମାନେ ଆମରଣ ଅନଶନରେ ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି କାର୍ୟ୍ୟାଳୟ ସମ୍ମୁଖରେ ବସିଥିବା ଦେଖିବାକୁ ମିଲିଥିଲା । ତେବେ ଦାବି ଉପରେ ସ୍ଥାନୀୟ ପ୍ରଶାସନ କିଛି ପଦକ୍ଷେପ ନନେବା କି କୌଣସି ପ୍ରତିଶ୍ରୁତି ନଦେବା କାରଣରୁ ଆମରଣ ଅନଶନରେ ବସିଥିବା ଜଣେ ବ୍ୟକ୍ତି ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି । ତେବେ ସ୍ଥାନୀୟ ଲୋକେ ଯୁବକଙ୍କୁ ଉଦ୍ଧାର କରିବା ସହିତ ଯୁବକ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି । ଅନ୍ୟପଟେ ଭୋଟ୍ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହିତ ସରିଛି ଓ ବୁଥ୍ ବାକ୍ସ ନିରାପଦରେ ଷ୍ଟ୍ରଙ୍ଗ୍ ରୁମରେ ପହଞ୍ଚି ସାରିଛି । ଅଭିଯୋଗ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଛି । ସେ ଯାହା କାର୍ୟ୍ୟାନୁଷ୍ଠାନ ନେବେ ବୋଲି ସ୍ଥାନୀୟ ବିଡ଼ିଓ କହିଛନ୍ତି ।