‘ସମୋସା ମେ ଆଲୁ, କୋରାପୁଟ ମେ ଭାଲୁ ‘ – ନବୀନ ଓ ବବି ଙ୍କୁ ମାତ୍ ଦେଲେ ବାହିନୀପତି

ସତ୍ୟପାଠ ବ୍ୟୁରୋ, ୦୨/୦୩: କୋରାପୁଟ୍‌ରେ ଫେଲ୍‌ ମାରିଲା ନବୀନ ମ୍ୟାଜିକ୍‌, କାମ ଦେଲାନି ବିଜେଡି ପ୍ରଭାରୀ ବବି ଦାସଙ୍କ ବୁଦ୍ଧି। ତାରା ଦେଖେଇଦେଲେ କୋରାପୁଟ କା ଅସଲି ଡନ କୌନ୍। କୋରାପୁଟ ରେ କଂଗ୍ରେସ ଶାସକ ଦଳ ବିଜେଡିକୁ ବଡ଼ ଝଟକା ଦେଇଛି। ୩୦ ରୁ ୨୯ ଜିଲ୍ଲାରେ ପୋଛି ନେଇଗଲା ବିଜେଡି ଅଥଚ କୋରାପୁଟରେ କାମ ଦେଲାନି ନବୀନ ପଟ୍ଟନାୟକଙ୍କ ମ୍ୟାଜିକ୍‌ ନା ବବି ଦାସଙ୍କ ଗୋଟି ଚାଳନା। ବିଜେଡି ଓ ବିଜେପି ର ସବୁ ଷ୍ଟ୍ରାଟେଜୀ ଫେଲ୍‌ ମାରିଗଲା ତାରାଙ୍କ ଦେଶିଆ ରାଜନୀତି ଆଗରେ। ବିଜେଡି ଓ ନବୀନଙ୍କ ସୁନାମି, ଫୁନାମି କିଛି କାମ ଦେଲାନି କୋରାପୁଟ ଜିଲ୍ଲାର ଏକମାତ୍ର କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ଖେଳ ଆଗରେ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁ କୋରାପୁଟ କୁ ଦଖଲ କରିବା ପାଇଁ ବିଜେଡି ଏତେ ନାଟ କଲା, କଂଗ୍ରେସ ର ପ୍ରାୟ ସବୁ ବଡ ନେତାଙ୍କୁ ରାତାରାତି ଉଠେଇ ଆଣି ବିଜେଡି ରେ ମିଶେଇଲେ, ଶେଷରେ କଂଗ୍ରେସ ର ଭାଲୁ ଭାଇ ହିଁ ବାଜି ନେରିନେଲେ। କୋରାପୁଟ ରେ ବିଜେଡି ର ବିଫଳତା ଉଭୟ ଦଳ ଓ ପ୍ରଭାରୀ ବବି ଦାସଙ୍କ ପାଇଁ ଜବରଦସ୍ତ ଝଟକା।ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ୨୪ଟି ଜିଲ୍ଲା ପରିଷଦ ଆସନ ହାତେଇ ଥିବା ବିଜେଡି ଏଥର ମାତ୍ର ୧୬ଟି ଆସନରେ ଆଣ୍ଠେଇ ପଡ଼ିଛି। ବିଜେଡି ହାତରୁ କଂଗ୍ରେସ ୧୨ ଆସନ ଛଡ଼ାଇ ନେଇଛି। ଏ ନେଇ ଜିଲ୍ଲାରେ ସବୁଠି ଚର୍ଚ୍ଚା ଯେ କେବଳ ଭାଲୁ ଭାଇନା ଙ୍କ ରଣନୀତି ଯୋଗୁ ସମ୍ଭବ ହୋଇଛି। ତାରା ବାହିନୀପତିଙ୍କ ସହ କୋରାପୁଟ ସାଂସଦ ସପ୍ତଗିରି ଉଳକାଙ୍କର ମଧ୍ୟ ଅବଦାନ ରହିଛି। ଏ ଦୁଇ ଜଣଙ୍କ ବ୍ୟତୀତ ପ୍ରଦେଶ କଂଗ୍ରେସ ର ଆଉ କାହାର ବି କିଛି ବି ଅବଦାନ ନାହିଁ ବୋଲି ଆଲୋଚନା ହେଉଛି।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟର ଏକମାତ୍ର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଓ ବିଧାୟକ ତାରାଙ୍କ ମତଭେଦ ଦାଣ୍ଡରେ ପଡ଼ି ହାଟରେ ପଡ଼ିଥିଲା। ଉଭୟେଙ୍କ ତୁତୁ ମେଁ ମେଁ ମିଡିଆରେ ଅନେକ ଦିନ ଧରି ଖବରରେ ଥିଲା। ଏହା ସତ୍ତ୍ୱେ ଏହି ଜିଲ୍ଲାରେ କଂଗ୍ରେସ ବହୁତ୍ଭ ଲ ପ୍ରଦର୍ଶନ କରିଛି। ଆଉ ବିଜେଡିକୁ କଡ଼ା ଟକ୍କର ଦେଇଛି। ଗୋଷ୍ଠୀ କନ୍ଦଳର ପ୍ରଭାବ ଲୋକଙ୍କ ଉପରେ ଜମାରୁ ପଡ଼ିନାହିଁ। କୋରାପୁଟ୍‌ବାସୀ ମନଖୋଲି କଂଗ୍ରେସକୁ ଭୋଟ୍‌ ଦେଇଛନ୍ତି। ଯଦିଓ କଂଗ୍ରେସ ଅଧ୍ୟକ୍ଷ ପଦ ହାତେଇ ପାରିନି କିନ୍ତୁ ଶାସକ ବିଜେଡିକୁ କଡ଼ା ଟକ୍କର ଦେଇପାରିଛି।

କୋରାପୁଟ ର ରେଜଲ୍ଟ ଯେଉଁ ମେସେଜ ଦେଇଛି ତାହା ହେଲା, କୋରାପୁଟ, ପଟାଙ୍ଗୀ ଓ ଲକ୍ଷ୍ମୀପୁର ରେ ବିଜେଡିର ଖେଳ ସଫା କରିଦେଇଛନ୍ତି ଭାଲୁ ଭାଇନା ଆଣ୍ଡ ଟିମ୍ ପଟାଙ୍ଗି ରେ କୋଟିଆ ଇସୁ ବିଜେଡି ପାଇଁ କାଳ ହେଲା। ପତାଙ୍ଗି ରେ ଯିଏ ଜିତିଛି ସିଏ କଂଗ୍ରେସ ର ବିଦ୍ରୋହୀ ପ୍ରାର୍ଥୀ।

ବିଜେଡି ପାଇଁ ଚିନ୍ତାର ବିଷୟ ହେଉଛି, କୋରାପୁଟ କୁ ପୁରା ନିଜ ଦଖଲକୁ ନେବାପାଇଁ ନିଜେ ବବି ଦାସ ଦାୟିତ୍ବ ନେଇଥିଲେ, ଖାଲି ସେତିକିନୁହେଁ ଆଉ ଜଣେ ଟାଣୁଆ ଯୁବ ନେତା ଚନ୍ଦ୍ର ସାରଥୀ ବେହେରାଙ୍କୁ ମଧ୍ୟ ବବି ମିଶନ କୋରାପୁଟ ରେ ସହ ପ୍ରଭାରୀ ଭାବରେ ନେଇଥିଲେ। ବବି ବାବୁ ଏବଂ ଚନ୍ଦ୍ର ସାରଥୀ ଉଭୟ କୋରାପୁଟ ରେ ବିଜେଡି ର ପାର୍ଟି ଅଫିସରୁ ଅପରେଟ୍ କରୁନଥିଲେ। ଉଭୟଙ୍କ ପାଇ ଅଲଗା ଘର ଓ ଅଫିସ ନିଆଯାଇଥିଲା ଅର୍ଥାତ୍ ପାର୍ଟି ର ରଣନୀତି ଫୁଲ୍ ସିକ୍ରେଟ ରେ କାର୍ଯ୍ୟକାରୀ ହେଉଥିଲା ଅଥଚ ଭାଲୁ ଭାଇନାଙ୍କ ଦେଶିଆ ଷ୍ଟାଇଲ ପଲଟିକ୍ସ ଆଗରେ ସବୁ ଧୋଇଗଲା।

ବିଜେଡି ର କୋରାପୁଟ ଜିଲ୍ଲା ସଭାପତି ଈଶ୍ୱର ପାଣିଗ୍ରାହୀ ନିଜ ଏରିଆ ଲମତାପୁଟ ରେ ପଶିପାରିଲେନି। ଲୋକଙ୍କ କହିବା କଥା ବିଜେଡି କଂଗ୍ରେସ ନେତାଙ୍କୁ ଗୋଟାଇବାରେ ବ୍ୟସ୍ତ ସେପଟେ ଦଳ ଜିଲ୍ଲା ସଭାପତି ନିଜ ଜୋନ୍ କୁ ପଶି ପାରୁନାହାନ୍ତି। ୨୦୧୯ ନିର୍ବାଚନରେ ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀ ରେ ବିଜେପି ର ଯିଏ ବିଧାୟକ ପ୍ରାର୍ଥୀ ହେଇଥିଲେ ତାଙ୍କୁ ଏଥର ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀ କଲା ଅଥଚ ସିଏ ବି ହାରିଗଲେ। ଏଥିରୁ ସ୍ପଷ୍ଟ ଯେ ନିଜର ସାଂଗଠନିକ ଦକ୍ଷତା ନ ବଢେଇ କେବଳ ବିଜେପି ଓ କଂଗ୍ରେସ ନେତାଙ୍କୁ ପୋଚିଂ ଷ୍ଟ୍ରାଟେଜୀ ବଳରେ ନିର୍ବାଚନ ଲଢିବା ବିଜେଡି ପାଇଁ କାଳ ହେଲା।

୨୦୧୭ ରେ ବିଜେଡି ୨୪, କଂଗ୍ରେସ ୪ ଓ ବିଜେପି ୧ ଥିଲା। ଏଥର ବିଜେଡି ୧୬, କଂଗ୍ରେସ ତିନି ଗୁଣା ବଢିଲା ୧୨ ଏଵଂ ବିଜେପି ମୂଳପୋଛ ହୋଇଗଲା।

ଯଦି ଅବିଭକ୍ତ କୋରାପୁଟ ଜିଲ୍ଲାକୁ ହିସାବ କରାଯିବ ତେବେ କୋରାପୁଟ ୧୨, ମାଲକାନଗିରି ୩, ନବରଙ୍ଗପୁର ୧ ଓ ରାୟଗଡ଼ା ୫. କଂଗ୍ରେସର ମୋଟ ୩୭ ରୁ କେବଳ ଅବିଭକ୍ତ କୋରାପୁଟ ରେ ୨୧ ଜିତିଛନ୍ତି। ଗୁରୁତ୍ବପର୍ଣ୍ଣ କଥା ହେଇଛି, କଂଗ୍ରେସ ଛାଡି ବିଜେଡି ରେ ମିଶିଥିବା ପ୍ରଦୀପ ମାଝୀ ଙ୍କ ନିଜ ଏରିଆ ମାଲକାନଗିରି ଚିତ୍ରକୋଣ୍ଡା ରେ ବିଜେଡି ହାରିଲା ଓ କଂଗ୍ରେସ ଜିତିଛି।

ଚଳିତ ପଂଚାୟତ ନିର୍ବାଚନ ଫଳାଫଳକୁ ନେଇ ଏବେ କୋରାପୁଟ କଂଗ୍ରେସିଆଙ୍କ ଡ଼ାଏଲଗ ହେଉଛି ଜବ ତକ ସମୋସା ମେ ଆଲୁ ହେ ତବ ତକ କୋରାପୁଟ ମେ ଭାଲୁ ହେ….

Related Posts