୩୦ ବର୍ଷ ଧରି ଶ୍ୱଶୁର ହାରି ଆସୁଥିଲେ; ହେଲେ ଏଥର ତାଙ୍କ ବୋହୂ ଜିତି ପୂରଣ କଲେ ଶ୍ୱଶୁରଙ୍କ ସରପଞ୍ଚ ହେବାର ସ୍ୱପ୍ନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ଏହା ମଧ୍ୟରେ ଶ୍ୱଶୁର ସରପଞ୍ଚ ପଦ ପାଇଁ ଲଗାତାର ଭାବେ ପରାଜିତ ହୋଇ ଆସୁଥିବାବେଳେ ଏଥର ତାଙ୍କ ବୋହୂ ଜିତିଥିବାର ଖବର ସାମ୍ନାକୁ ଆସିଛି । ତେବେ ଶ୍ୱଶୁରଙ୍କ ଦୀର୍ଘ ୩୦ ବର୍ଷର ସ୍ୱପ୍ନକୁ ତାଙ୍କ ବୋହୂ ଶାକାର କରିଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିପାଳ ପଞ୍ଚାୟତରେ । ତେବେ ଅଞ୍ଜଳୀ ଦେହୁରୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ସୁଭେଦ୍ରା ତିଉଙ୍କୁ ୨୦୮୬ ଖଣ୍ଡ ଭୋଟ ବ୍ୟବଧାନରେ ହରାଇଛନ୍ତି । ଏଥିସହ ଶ୍ୱଶୁର ମହେଶ୍ୱର ଦେହୁରୀଙ୍କ ୩୦ ବର୍ଷର ସ୍ୱପ୍ନକୁ ସାକାର କରିଛନ୍ତି । ସେପଟେ ୧୯୯୨ ମସିହାରେ ଚିଙ୍ଗୁଡ଼ିପାଳ ପଞ୍ଚାୟତ ଗଠନ ହେବା ଦିନରୁ ଅନୁସୂଚିତ ଜନଜାତି ବର୍ଗର ଦୁଇ ପରିବାର ମଧ୍ୟରେ କ୍ଷମତା ଦଖଲକୁ ନେଇ ପ୍ରତିଦ୍ୱନ୍ଦିତା ଚାଲିଛି ।

ଅବିଭକ୍ତ ରାଁସୋଳ ପଞ୍ଚାୟତରୁ ଦୁଇଥର ସରପଞ୍ଚ ନିର୍ବାଚିତ ହୋଇଥିବା ସ୍ୱଗର୍ତ ହୃଷୀକେଶ ପ୍ରଧାନ ଓ ସୁକିନ୍ଦାର ଆରାଧ୍ୟ ଦେବି ମା’ ଖଣ୍ଡୁରାଇଙ୍କ ପୂଜକ ସ୍ୱର୍ଗତ ଜଙ୍କିଆ ଦେହୁରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ରାଜନୈତିକ ଲଢ଼େଇ ତିନିପିଢ଼ି ଧରି ଲାଗିରହିଛି । ସ୍ୱର୍ଗତ ହୃଷିକେଶ ପ୍ରଧାନଙ୍କ ପରେ ପୁତୁରା ନୀଳେନ୍ଦ୍ର ପ୍ରଧାନ ଓ ସ୍ୱର୍ଗତ ଜଙ୍କିଆ ଦେହୁରୀଙ୍କ ପରେ ପୁଅ ମହେଶ୍ୱରଙ୍କ ମଧ୍ୟରେ ରାଜନୈତିକ ପ୍ରତିଦ୍ୱନ୍ଦିତା ରହିଥିଲା । ମହେଶ୍ୱର ୩ଥର ସରପଞ୍ଚ ପାଇଁ ଲଢ଼ି ହାରିଥିଲେ । ଚଳିତଥର ବୋହୂ ତାଙ୍କ ସ୍ୱପ୍ନକୁ ପୂରଣ କରିଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି ମହେଶ୍ୱର କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts