ବିଦ୍ୟାଳୟରେ ମିଳୁନି ଆବଶ୍ୟକ ପରିମାଣର ଖାଦ୍ୟ, ଅନେକ ଅବ୍ୟବସ୍ଥା : ଗୁହାରି ଜଣାଇବା ପାଇଁ ରାତିରେ ଚାଲି ଚାଲି ଜିଲ୍ଲାପାଳଙ୍କ ପାଖରେ ପହଞ୍ଚିଲେ ୪୦ରୁ ଅଧିକ ଛାତ୍ର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସରକାର ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଏହାର ସୁଫଳ ସେମାନଙ୍କ ପାଖରେ ପହଞ୍ଚି ପାରୁ ନଥିବା ଅଭିଯୋଗ ହେଉଛି। ଏମିତିକି ଆବଶ୍ୟକ ଜିନିଷ ମଧ୍ୟ ସେମାନଙ୍କୁ ମିଳି ପାରୁ ନାହିଁ। ଆଉ ବିଦ୍ୟାଳୟର ଏମିତି କିଛି ସମସ୍ୟାକୁ ନେଇ ରାତାରାତି ଜଙ୍ଗଲରେ ଚାଲି ଚାଲି ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ ଜଣାଇବା ପାଇଁ ପହଞ୍ଚିଛନ୍ତି ଛାତ୍ର। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଗଜପତି ଜିଲ୍ଲା ରା. ଉଦୟଗିରି ଥାନା କାର୍ତ୍ତିକା ଗମାଙ୍ଗ ଉଚ୍ଚ ବିଦ୍ୟାଳୟରୁ। ଏହି ଛାତ୍ର ମାନେ ବିଦ୍ୟାଳୟରୁ ଲୁଚି ଚାଲି ଚାଲି ଆସି ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଛନ୍ତି।  କାର୍ତ୍ତିକା ଗମାଙ୍ଗ ଉଚ୍ଚ ବିଦ୍ୟାଳୟର ଅବ୍ଯବସ୍ଥା ଏବଂ ସେଠାକାର ଶିକ୍ଷକଙ୍କ ମନମାନି ସମ୍ପର୍କରେ ଜଣାଇଛନ୍ତି ଛାତ୍ର ।

ମିଳିଥିବା ସୂଚନା ମୁତାବକ, ବିଦ୍ୟାଳୟରେ ଶିକ୍ଷକଙ୍କ ମନମାନି ଓ ଛାତ୍ରାବାସରେ ବିଭିନ୍ନ ଅବ୍ୟବସ୍ଥା ନେଇ ବାରମ୍ବାର ଅଭିଯୋଗ ସତ୍ବେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି । ଛାତ୍ରାବାସରେ ପାନୀୟ ଜଳ ଓ ଖାଦ୍ୟ ମଧ୍ୟ ଆବଶ୍ୟକ ପରିମାଣର ମିଳୁନଥିବା ଅଭିଯୋଗ କରାଯାଇଛି। ସେହି ବିଦ୍ୟାଳୟର ଦୁଇ ଜଣ ଶିକ୍ଷକଙ୍କର ମନମାନି ଏବଂ ବିଦ୍ୟାଳୟରେ ପୁସ୍ତକ ବିକ୍ରି ଭଳି ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ଏମିତିକି ଛାତ୍ରାବାସରୁ ବାହାରକୁ ଯିବା ଉପରେ ରୋକ୍‌ ଲଗାଇ ଦିଆଯାଇଛି। ଉପରସ୍ଥ ଅଧିକାରୀ ମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା କାରଣରୁ ସେମାନେ ଜିଲ୍ଲାପାଳଙ୍କ ନିକଟକୁ ଆସିଛନ୍ତି। 

ତେବେ ସରକାରୀ ଛାତ୍ରାବାସରେ ଏଭଳି ଅବ୍ୟବସ୍ଥାର ଘଟଣା କିଛି ନୂଆ କଥା ନୁହେଁ, କିନ୍ତୁ ସବୁଠାରୁ ବଡ଼ କଥା ହେଉଛି  ଗଣମାଧ୍ୟମକୁ ହଷ୍ଟେଲ ଭିତରକୁ ପ୍ରବେଶ ପାଇଁ ଅନୁମତି ନଥିବା କାରଣରୁ ସମସ୍ତ ଘଟଣାକୁ ଚାପି ଦିଆଯାଉଛି ।

ଅଭିଯୋଗ ଅନୁସାରେ କିଛି ନ୍ୟସ୍ତ ସ୍ୱାର୍ଥ ଅଧିକାରୀ ବର୍ଷ ବର୍ଷ ଧରି ଜିଲ୍ଲାରେ ଏ ଦୁର୍ନୀତିରେ ସଂଶ୍ଲିଷ୍ଟ ରହିଛନ୍ତି । ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ସୁବିଧା ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସରକାର ଯୋଗାଇ ଦେଉଥିବା ଅର୍ଥକୁ ଆତ୍ମସାତ କରାଯାଉଥିବା ଅଭିଯୋଗ ହୋଇଛି । ୪୦ରୁ ଅଧିକ ଛାତ୍ର ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ ପାଇଁ ରାତିରେ ଚାଲି ଚାଲି ଆସି ପହଞ୍ଚିଛନ୍ତି ।

Related Posts