(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଗକୁ କୋଭିଡ୍-19 ମହାମାରୀର ସମ୍ଭାବ୍ୟ ତୃତୀୟ ଲହର ଆସୁଥିବା ବେଳେ ସମ୍ପ୍ରତି ରାଜ୍ୟର କୋଭିଡ୍ ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି ଯେ , ବର୍ତ୍ତମାନ କେରଳରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଛି। କିନ୍ତୁ ଅନ୍ୟ ରାଜ୍ୟ ଗୁଡ଼ିକରେ ସଂକ୍ରମଣର ପ୍ରଭାବ କମ୍ ରହିଛି। ତେବେ ଓଡ଼ିଶା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ରାଜ୍ୟରେ ପ୍ରଥମ ଲହରରେ ୧୨ ପ୍ରତିଶତ, ଦ୍ବିତୀୟ ଲହରରେ ବି ୧୨ ପ୍ରତିଶତ ଶିଶୁ କୋଭିଡ୍ ଆକ୍ରାନ୍ତ ହୋଇଥିଲେ।
ତେବେ ବର୍ତ୍ତମାନ ସମୟରେ ମଧ୍ୟ ୧୨ରୁ ୧୫ ପ୍ରତିଶତ ଶିଶୁ ସଂକ୍ରମିତ ହେଉଛନ୍ତି । ବୟସ୍କ ଲୋକ ମାନେ ଟିକା ନେଇ ସାରିଥିବାରୁ ସେମାନଙ୍କ ଦେହରେ ଆଣ୍ଟିବଡି ସୄଷ୍ଟି ହୋଇସାରିଛି। ତେଣୁ ଶିଶୁମାନଙ୍କ ପ୍ରତି ଅଧିକ ଭୟ ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଗୋଟିଏ ବି ଶିଶୁ ସଂକ୍ରମିତ ହୁଏ ତାହା ବି ଗୁରୁତ୍ୱପୂର୍ଣ୍ଣ କଥା। ଏବଂ ଏହା ଆମ ପାଇଁ ଚିନ୍ତାର ବିଷୟ।
ଶିଶୁଙ୍କ ସୁରକ୍ଷା ଲାଗି ଉଭୟ ଅଭିଭାବକ ଓ ସରକାରଙ୍କ ଦାୟିତ୍ବ ରହିଛି। ସେହିପରି ସ୍କୁଲକୁ ଯାଉଥିବା ଛାତ୍ରଛାତ୍ରୀମାନଙ୍କ ଦାୟିତ୍ବ ଶିକ୍ଷକଙ୍କ ହାତରେ ରହିଛି। ଶିଶୁଙ୍କୁ ସୁରକ୍ଷାମୂଳକ ବାତାବରଣ ଯୋଗାଇଦେବ ଆବଶ୍ୟକ। ବର୍ତ୍ତମାନ ସ୍ଥିତିରେ ଭୁତାଣୁର ଉତ୍ସକୁ ନିୟନ୍ତ୍ରଣ ରଖିବାକୁ ମୂଳ ଲକ୍ଷ୍ୟ ବୋଲି ଡିଏମଇଟି ସିବିକେ ମହାନ୍ତି।
ସୂଚନାଯୋଗ୍ୟ ଯେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୧୦୮ ପିଲା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟା ଭିତରେ ୭୫୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୩୮ ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୩୧୬ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୬ ଜଣ, ବାଲେଶ୍ୱରରୁ ୪୩ ଜଣ, ବରଗଡ଼ରୁ ୧ ଜଣ, ଭଦ୍ରକରୁ ୭ ଜଣ, ବୌଦ୍ଧରୁ ୩ ଜଣ, କଟକରୁ ୧୧୦ ଜଣ, ଦେବଗଡ଼ରୁ ୯ ଜଣ, ଢେଙ୍କାନାଳରୁ ୯ ଜଣ, ଗଞ୍ଜାମରୁ ୪ ଜଣ, ଜଗତସିଂହପୁରରୁ ୨୫ ଜଣ, ଯାଜପୁରରୁ ୨୮ ଜଣ, ଝାରସୁଗୁଡ଼ାରୁ ୧ ଜଣ, କଳାହାଣ୍ଡିରୁ ୨ ଜଣ, କନ୍ଧମାଳରୁ ୧ ଜଣ, କେନ୍ଦ୍ରାପଡ଼ାରୁ ୧୯ ଜଣ, କେଉଁଝରରୁ ୧୬ ଜଣ, ମାଲକାନଗିରିରୁ ୯ ଜଣ, ମୟୁରଭଞ୍ଜରୁ ୨୩ ଜଣ, ନବରଙ୍ଗପୁରୁ ୨ ଜଣ, ନୟାଗଡ଼ରୁ ୧୩ ଜଣ, ପୁରୀରୁ ୨୮ ଜଣ, ରାୟଗଡ଼ାରୁ ୯ ଜଣ, ସମ୍ୱଲପୁରରୁ ୧୩ ଜଣ, ସୁନ୍ଦରଗଡ଼ରୁ ୨୬ଜଣ ଓ ଷ୍ଟେଟ ପୁଲରୁ ୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ୬୬ହଜାର ୬୮୮ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ ହାର ୧ . ୧୩ ପ୍ରତିଶତ ରହିଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୯ ହଜାର ୨୨୩କୁ ବୃଦ୍ଧି ପାଇଥିବା ବେଳେ ୯ଲକ୍ଷ ୯୩ ହଜାର ୯୦୧ ଜଣ ସୁସ୍ଥ ହୋଇଛନ୍ତି । ଏବେ ଆକ୍ଟିଭ କେସ୍ ସଂଖ୍ୟା ୭ହଜାର ୨୪୧ ରହିଛି ।
