ରାଜସ୍ଥାନ ଓ ତେଲେଙ୍ଗାନାରେ ସରିଲା ଭୋଟିଂ, 70 ପ୍ରତିଶତରୁ ଅଧିକ ମତଦାନ

ରାଜସ୍ଥାନ ଓ ତେଲେଙ୍ଗାନାରେ ଭୋଟ ସହ ସରିଛି ୫ଟି ରାଜ୍ୟରେ ମତଦାନ । ରାଜସ୍ଥାନରେ ୧୯୯ ଆସନ ପାଇଁ ଇଭିଏମରେ ସିଲ୍‌ ହୋଇଛି ୨ ହଜାର ୨୭୪ ପ୍ରାର୍ଥୀଙ୍କ ଭାଗ୍ୟ । ସେହିପରି ତେଲଙ୍ଗାନାରେ ୧୧୯ ଆସନ ପାଇଁ ଇଭିଏମରେ ବନ୍ଦ ହୋଇଛି ୧ହଜାର ୮୨୧ ପ୍ରାର୍ଥୀଙ୍କ ଭାଗ୍ୟ । ରାଜସ୍ଥାନରେ ୭୨ ପ୍ରତିଶତରୁ ଅଧିକ ଏବଂ ତେଲଙ୍ଗାନାରେ ୭୦ରୁ ଅଧିକ ପ୍ରତିଶତ ମତଦାନ ରେକର୍ଡ ହୋଇଛି ।

ରାଜସ୍ଥାନରେ ୨ ଶହ ଆସନରୁ ୧୯୯ ଆସନ ପାଇଁ ସରିଛି ଭୋଟ । ସକାଳ ୮ଟାରୁ ଆରମ୍ଭ ହୋଇଥିଲା ମତଦାନ । ପୋଲିଂ ବୁଥ୍‌ ଆଗରେ ଦେଖିବାକୁ ମିଳିଥିଲା ଲୋକଙ୍କ ଭିଡ଼ । ଝାଲରାପାଟନରେ ଭୋଟ ଦେଇଥିଲେ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ । ସେହିପରି ସରଦାରପୁରରେ ମତଦାନ କରିଥିଲେ ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ । ସେପଟେ ପିସିସି ସଭାପତି ସଚିନ ପାଇଲଟ ଟୋଙ୍କରେ ନିଜର ମତଦାନ ସାବ୍ୟସ୍ତ କରିଥିଲେ ।

ରାଜସ୍ଥାନରେ ଶାସକ ବିଜେପି ଓ କଂଗ୍ରେସ ମଧ୍ୟରେ ସିଧାସଳଖ ଲଢେଇ ହେଉଛି । ବସୁନ୍ଧରା ରାଜେ ସରକାରଙ୍କଠାରୁ କ୍ଷମତା ଛଡ଼ାଇବା ଲକ୍ଷ୍ୟରେ ରହିଛି କଂଗ୍ରେସ । ସେପଟେ ତେଲଙ୍ଗାନାରେ ୧୧୯ ଆସନ ପାଇଁ ଇଭିଏମ୍‌ରେ ବନ୍ଦ ହୋଇଛି ୧ ହଜାର ୮୨୧ ପ୍ରାର୍ଥୀଙ୍କ ଭାଗ୍ୟ । ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଶାସ୍ତ୍ରୀପୁରମ୍‌ ବୁଥ୍‌ରେ ଭୋଟ ଦେଇଥିଲେ ।

ଅଭିନେତା ନାଗାର୍ଜ୍ଜୁନ, ପତ୍ନୀ ଆମାଲା, ଆଲ୍ଲୁ ଅର୍ଜ୍ଜୁନ. ଚିରଞ୍ଜିବି, ବାହୁବଳୀ ନିର୍ଦ୍ଦେଶକ ଏସ୍‌. ଏସ୍‌. ରାଜାମୌଲୀ ପ୍ରମୁଖ ଜୁବ୍‌ଲୀ ହିଲ୍‌ସ ବୁଥ୍‌ରେ ଭୋଟ୍‌ ଦେଇଥିଲେ । କୁକ୍କଟପଲ୍ଲୀରେ ଟିଡିପିର ପ୍ରାର୍ଥୀ ତଥା ଏନ୍‌ଟି ରାମାରାଓଙ୍କ ନାତୁଣୀ ସୁହାସିନୀ ମଧ୍ୟ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ଟେନିସ୍‌ ଷ୍ଟାର ସାନିଆ ମିର୍ଜା ନିଜ ପରିବାର ସହ ଯାଇ ଭୋଟ ଦେଇଥିଲେ ।

ତେଲେଙ୍ଗାନା ରାଜ୍ୟପାଳ ଇ.ଏସ.ଏଲ. ନରସିମହନ, ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, ପୁଅ କେଟିଆର ମଧ୍ୟ ମତାଧିକାର ସାବ୍ୟସ୍ତ କରିଥିଲେ । ସେପଟେ ନାଗପକର୍ନୁଲ ଜିଲ୍ଲାରେ କଂଗ୍ରେସ୍‌ ନେତା ବଂଶୀଚାନ୍ଦ ରେଡ୍ଡୀଙ୍କ ଉପରେ ପଥର ମାଡ଼ ପରେ ତାଙ୍କୁ ଗୁରୁତର ଅବସ୍ଥାରେ ନିମସ ହସପିଟାଲରେ ଭର୍ତ୍ତି କରାଯାଇଛି । ଶାସକ ଟିଆରଏସ୍ ଲଗାତର ଦ୍ବିତୀୟ ଥର ପାଇଁ କ୍ଷମତାକୁ ଆସିବା ଲକ୍ଷ୍ୟରେ ଥିବା ବେଳେ ଟିଆରଏସ୍ କୁ ଚ୍ୟାଲେଞ୍ଜ କରୁଛନ୍ତି କଂଗ୍ରେସ-ଟିଡିପି ଓ ସିପିଆଇ ମହାମେଣ୍ଟ । ବିଜେପି ମଧ୍ୟ ଏଥର ଭଲ କରିବାକୁ ଆଶା ରଖିଛି ।

ରାଜସ୍ଥାନ, ତେଲଙ୍ଗାନା ନିର୍ବାଚନ ସହ ସମସ୍ତ ୫ଟି ରାଜ୍ୟରେ ମତଦାନ ସରିଛି । ୯୦ ଆସନ ବିଶିଷ୍ଟ ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ମତଦାନ ହୋଇଥିବା ବେଳେ ନଭେମ୍ବର ୨୮ରେ ମଧ୍ୟପ୍ରଦେଶ ଏବଂ ମିଜୋରାମ ପାଇଁ ନିଆଯାଇଥିଲା ଭୋଟ । ଡିସେମ୍ବର ୧୧ରେ ସବୁ ରାଜ୍ୟର ଭୋଟ ଗଣତି ସହ ଫଳାଫଳ ଘୋଷଣା ହେବ ।

Related Posts