ଆଜିକୁ ୧୩ ଦିନରେ ପହଁଚିଛି ରୁଷ ଓ ୟୁକ୍ରେନ୍ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ | ୟୁକ୍ରେନ ସେନା ରୁଷ ସେନାକୁ ଲଗାତାର ଭାବେ କଡା ଜବାବ ଦେଇଆସୁଥିବା ବେଳେ, ଖୋଦ ଦେଶର ଏହି ସଙ୍କଟ ମଧ୍ୟରେ ରାଷ୍ଟ୍ରପତି ଜେଲେନସ୍କି କୌଣସି ବି ପ୍ରକାରର ବୁଝାମଣା କରିବାକୁ ରାଜି ନାହାନ୍ତି। ସେ ଖୋଦ ନିଜ ସୈନିକମାନଙ୍କ ମନୋବଳ ବଢ଼ାଉଛନ୍ତି | ଯୁଦ୍ଧର ଟିକିନିକ ଖବର କୁ ଲୋକଲୋଚନକୁ ଆଣିବା ସହ ଯୁଦ୍ଧ ସ୍ଥଳୀ ଓ ନିଜର ଯବାନ ମାନଙ୍କୁ ଭେଟି ତାଙ୍କ ମନୋବଳ ଦୃଢ କରିବାରେ ଲାଗିଛନ୍ତି | ଏଥିସହ ନିଜ ଦେଶ ବାସୀଙ୍କୁ ଆଗକୁ ଆସି ଯୁଦ୍ଧ କରିବା ପାଇଁ ଆହ୍ୱାନ ଦେଇଛନ୍ତି | ତେବେ ଏହାରି ମଧ୍ୟରେ ଦେଶ ଛାଡି ପଳାଉଥିବା ଜଣେ ସାଂସଦଙ୍କୁ ମାଡି ବସିଛି ୟୁକ୍ରେନ୍ ସେନା। ୟୁକ୍ରେନ୍ ସାଂସଦ ୟେଭେନ୍ ଶେଭେଞ୍ଚକୋଙ୍କୁ ଗିରଫ କରାଯାଇଛି।
ପୂର୍ବ ୟୁରୋପୀୟ ମିଡିଆ NEXTA ମୁତାବକ, ୟୁକ୍ରେନ୍ ସାଂସଦ ୟେଭେନ ଦେଶ ଛାଡି ପଳାଇବାକୁ ଚେଷ୍ଟା କରୁଥିବାବେଳେ ତାଙ୍କୁ ଗିରଫ କରାଯାଇଥିଲା। ୟୁକ୍ରେନ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ୟେଭେନଙ୍କ ଦେଶ ଛାଡି ପାରିବେ ନାହିଁ। ତାଙ୍କର ଦେଶ ଛାଡିବା ନେଇ କୌଣସି ଅଧିକାର ନାହିଁ, କାରଣ ବାଧ୍ୟତାମୂଳକ ସାମରିକ ସେବା ଅନୁଯାୟୀ ସେ ଯୁଦ୍ଧ କରିବାକୁ ସକ୍ଷମ ଅଟନ୍ତି।
ଗତ ବର୍ଷ ଏପ୍ରିଲରେ, ୩୪ ବର୍ଷିୟ ୟେଭେନ ରୁଷର ସହଯୋଗୀ ବେଲାରୁଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋଙ୍କୁ ଭେଟିବା ପରେ ସେ ଚର୍ଚ୍ଚାକୁ ଆସିଥିଲେ। ଏହି କାରଣରୁ, ୟେଭେନଙ୍କୁ ଶାସକ ଦଳ ‘ସର୍ଭଣ୍ଟ ଅଫ ଦି ପିପୁଲ’ରୁ ବହିଷ୍କାର କରାଯାଇଥିଲା। ଏହି ଦଳର ସାଂସଦ ଜେଲେନସ୍କି ୟୁକ୍ରେନର ରାଷ୍ଟ୍ରପତି ଅଟନ୍ତି।
