ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ୫ଜି ସେବାର ଶୁଭାରମ୍ଭ କରିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଶର ୧୩ଟି ସହରରେ ୫ଜି ଲଞ୍ଚ କରାଯିବ ବୋଲି ସୂଚନା ମିଳିଛି । ତେବେ ୫ଜି ଟେଲିକମ୍ ସେବା ଉଚ୍ଚ ଗତି ସହିତ ଅତ୍ୟନ୍ତ ନିର୍ଭରଯୋଗ୍ୟ ଯୋଗାଯୋଗ ବ୍ୟବସ୍ଥା ପ୍ରଦାନ କରିବ। ଦେଶରେ ୫ଜି ଲଞ୍ଚ ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଶନିବାର ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଜିଓ ଡିସେମ୍ବର ୨୦୨୩ ସୁଦ୍ଧା ସମଗ୍ର ଭାରତରେ ୫ଜି ଟେଲିଫୋନି ସେବା ଆରମ୍ଭ କରିବ।

ସେ ଆହୁରି କହିଛନ୍ତି ଯେ, ୫ଜି ହେଉଛି ମୌଳିକ ପ୍ରଯୁକ୍ତିବିଦ୍ୟା ଯାହାକି ଏକବିଂଶ ଶତାବ୍ଦୀର ଟେକ୍ନୋଲୋଜିର ସମ୍ପୂର୍ଣ୍ଣ ସମ୍ଭାବନାକୁ ଖୋଲିଥାଏ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ଦେଶରେ ୫ଜି ସେବାର ଶୁଭାରମ୍ଭ ହୋଇଛି ସେଥିପାଇଁ ଆମେ ଗର୍ବିତ। ଭାରତୀୟ ମୋବାଇଲ୍ କଂଗ୍ରେସ ବର୍ତ୍ତମାନ ଏସୀୟ ମୋବାଇଲ୍ କଂଗ୍ରେସ ଏବଂ ଗ୍ଲୋବାଲ୍ ମୋବାଇଲ୍ କଂଗ୍ରେସ ହେବା ଉଚିତ୍ ବୋଲି ସେ କହିଛନ୍ତି।