ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶର ପରବର୍ତ୍ତୀ ଆଟର୍ଣ୍ଣି ଜେନେରାଲ (ଏଜି) ହେବେ ମୁକୁଲ ରୋହତଗୀ । ଆସନ୍ତା ଅକ୍ଟୋବର ମାସରୁ ସେ ନିଜର କାର୍ଯ୍ୟକାଳ ଆରମ୍ଭ କରିବାନେଇ ସୂଚନା ମିଳିଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ଗତ ୨୦୧୪ରୁ ୨୦୧୭ ମଧ୍ୟରେ ୩ ବର୍ଷ ପାଇଁ ମୁକୁଲ ଏଜି ପଦରେ ରହିଥିଲେ। ଏବେ ପୁଣିଥରେ କେକେ ବେଣୁଗୋପାଳଙ୍କ ସ୍ଥାନରେ ଆଟର୍ଣ୍ଣି ଜେନେରାଲ ଭାବେ ମୁକୁଲ ଅବସ୍ଥାପିତ ହେବେ ।୯୦ ବର୍ଷୀୟ ବେଣୁଗୋପାଳଙ୍କ କାର୍ୟ୍ୟକାଳ ବୃଦ୍ଧି ନେଇ ସରକାରଙ୍କ ତରଫରୁ କୁହାଯାଇଥିଲେ ମଧ୍ୟ ବୟସାଧିକ୍ୟ ଓ ସ୍ୱାସ୍ଥ୍ୟଗତ କାରଣରୁ ସେ ଏହାକୁ ଗ୍ରହଣ କରିନାହାନ୍ତି । ଆସନ୍ତା ୩୦ ତାରିଖରେ ବେଣୁଗୋପାଳଙ୍କର କାର୍ୟ୍ୟକାଳ ସମାପ୍ତ ହେବାକୁ ଯାଉଛି ।ଏହାପରେ ବେଣୁଗୋପାଳଙ୍କ ସ୍ଥାନରେ ଦେଶର ପରବର୍ତ୍ତୀ ଏଜି ଭାବେ ଦାୟିତ୍ୱ ସମ୍ଭାଳିବେ ମୁକୁଲ ।
ସୂଚନାଯୋଗ୍ୟ ଯେ, ଗତ ୨୦୧୪ ମସିହାରେ ପ୍ରଥମ ଥର ପାଇଁ ୩ ବର୍ଷ ପାଇଁ ମୁକୁଲଙ୍କୁ ଏହି ପଦରେ ନିଯୁକ୍ତି ଦିଆଯାଇଥିଲା । ୨୦୧୭ ଜୁନ ମାସରେ ମୁକୁଲି ନିଜ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ବେଣୁଗୋପାଳଙ୍କୁ ୩ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଥିଲା । ୨୦୨୦ରେ ତାଙ୍କର କାର୍ୟ୍ୟକାଳ ସମାପ୍ତ ହୋଇଥିଲେ ମଧ୍ୟ ଏହାକୁ ଦୁଇ ଥର ଏକ ବର୍ଷ ଲେଖାଏଁ ବୃଦ୍ଧି କରାଯାଇଥିଲା । ଚଳିତ ବର୍ଷ ଜୁନରେ ପୁଣି ଥରେ ତାଙ୍କର କାର୍ୟ୍ୟକାଳ ୩ ମାସ ପାଇଁ ବୃଦ୍ଧି କରାଯାଇଥିଲା । ମୁକୁଲଙ୍କ ନିଯୁକ୍ତି ଉପରେ ଆଲୋଚନା କରିବା ପାଇଁ ଗତ ସପ୍ତାହରେ ବୈଠକ ବସିଥିବା ମନ୍ତ୍ରଣାଳୟ ସୂତ୍ରରୁ ସୂଚନା ମିଳିଛି ।
